ହାଇଦରର ଧରମ ଲୀଳାକୁ ନେଇ ପୁଲିସର ମୁଣ୍ଡ ଟିଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତେଲେଙ୍ଗାନାରୁ ଗିରଫ କରିବା ପରେ ହାଇଦରର ରୋଚକ କାହାଣୀ ଏବେ ସାମ୍ନାକୁ ଆସିବାରେ ଲାଗୁଛି । କିଭଳି ହାଇଦର ଡାକ୍ତରଖାନାରୁ ଚଂପଟ ମାରିଲା ଓ କିଏ କିଏ ତାକୁ ଫେରାର ହେବାରେ ସହାୟତା କରିଥିଲେ ? ଏହାର ଖୋଳତାଡ କରୁ କରୁ ହାଇଦରର ସିରିଜ ଧରମ ସଂପର୍କକୁ ନେଇ ପୁଲିସର ମୁଣ୍ଡ ଟିଣ । ୧୫ ବର୍ଷ ଧରି ଜେଲରେ ସଜା କାଟୁଥିବା ହାଇଦର ଏତେ ସଂଖ୍ୟକ ଧରମ ସଂମ୍ପର୍କ କିଭଳି ତିଆରି କଲା ତାହା ଏବେ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ସବୁଠାରୁ ରୋଚକ କଥାଟି ହେଲା, ୫୭ ବର୍ଷୀୟ ହାଇଦର ୨୦-୨୨ ବର୍ଷୀୟ ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ରହିଥିଲା । ତେବେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଫୋନରୁ ବ୍ୟବସାୟୀଙ୍କୁ ବଟି ମାଗୁଥିଲା । ଏହା ସହ ହାଇଦରର ୪୦ରୁ ଅଧିକ ଧରମ ସମ୍ପର୍କୀୟ ଓ ଗର୍ଲପ୍ରେଣ୍ଡ ସଉକ ଥିବା କଥା ସାମ୍ନାକୁ ଆସିଛି । ଅନ୍ୟପଟେ ହାଇଦରର ବର୍ତ୍ତମାନ ତିନିଜଣ ଗର୍ଲଫ୍ରେଣ୍ଡ ଥିବାର ସୂଚନା ମିଳିଛି ।

ତେବେ ବାଲେଶ୍ୱର ଜିଲ୍ଲାର ଅର୍ଚ୍ଚନା ପରିଡାକୁ ଭୁବନେଶ୍ୱରରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ହାଇଦର ଗ୍ୟାଙ୍ଗରେ ସାମିଲ କରାଯାଇଥିଲା । ୨୦୧୫ ପୂର୍ବରୁ ଅର୍ଚ୍ଚନାଙ୍କୁ ମାନସିକ ରୋଗର ଚିକିତ୍ସା କରାଯାଇଥିବାର ସୂଚନା ମିଳିଛି । ତେବେ ଏପ୍ରିଲ ୧୦ ତାରିଖରେ ସେ ପରିବାର ସହ ଶେଷ କଥା ହୋଇଥିଲା ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରିଛନ୍ତି । ହାଇଦର ବଡ ଡାକ୍ତରଖାନାରେ ରହୁଥିବା ବେଳେ ଅର୍ଚ୍ଚନା ହାଇଦର ସହ ରହୁଥିବାର ଖବର ସାମ୍ନାକୁ ଆସିଛି । ହାଇଦରର ସମସ୍ତ ନିର୍ଦ୍ଦେଶ ଠିକଣା ଜାଗାରେ ପହଁଞ୍ଚାଇବା ଓ କଥା ବର୍ତ୍ତା ପାଇଁ ମୋବାଇଲ ଯୋଗାଇ ଦେବାର କାମ କରୁଥିଲା ଅର୍ଚ୍ଚନା । କେବଳ ଏତିକି ନୁହେଁ ସମ୍ବଲପୁର ଜେଲରେ ଥିବା ବେଳେ ହାଇଦର ପାଇଁ ଏକ ସ୍ୱତନ୍ତ୍ର ରୁମ ଦିଆଯାଇଥିଲା । ଯେଉଁଥିରେ ସେ ଅର୍ଚ୍ଚନା ସମେତ ଅନେକ ଝିଅ ମାନଙ୍କ ସହିତ ରହୁଥିବାର ସୂଚନା ମିଳିଛି । ଏହାର ଫଳ ସ୍ୱରପ ତାଙ୍କୁ ପ୍ରଚୁର ଟଙ୍କା ମିଳୁଥିଲା । ଏଇଠି ପ୍ରଶ୍ନ ଉଠୁଛି, ଜେଲରେ କାହାର ସୁପାରିସରେ ହାଇଦରକୁ ଏତେ ସୁବିଧା ମିଳୁଥିଲା । ତଳୀୟ ଲୋକଙ୍କୁ ଆଗକୁ ପଠାଇ ମୁଖ୍ୟ ଷଡଯନ୍ତ୍ରକାରୀ ଲୁଚୁ ନାହାଁନ୍ତି ତ ? କଟକ ବଡ ମେଡିକାଲରେ ହାଇଦରର ସୁରକ୍ଷାରେ ଥିବା ଏମ.ଡି ମୌସିମ କ’ଣ ଏ ବାବଦରେ ଖବର ପାଇ ନଥିଲେ । ନା’ ଷଡଯନ୍ତ୍ରକାରୀଙ୍କୁ ଲୋକଲୋଚନରୁ ହଟାଇବା ପାଇଁ ଏହା ଏକ ଷଡଯନ୍ତ୍ର? ତେବେ ମୌସିମ କେବଳ ଏଫ.ଆଇ.ଆର କପିରେ ହାଇଦରର କେବଳ ପରିବାର ବର୍ଗ ଆସୁଥିବାର ଉଲ୍ଲେଖ କରିଛନ୍ତି । ତାଙ୍କର ଏପରି କରିବା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣି ଆଣୁଛି । ଅନ୍ୟପଟେ ଅର୍ଚ୍ଚନା ପରେ ପରେ ବନିତା ରାଉତ ଓ ସୋନାଲି ସ୍ୱାଇଁଙ୍କୁ ହାଇଦର ଗ୍ୟାଙ୍ଗରେ ସାମିଲ କରାଯାଇଥିଲା । ଏହା ସହ ବନିତାଙ୍କ ମୋବାଇଲରୁ ହାଇଦର କେନ୍ଦ୍ରାପଡାର ବ୍ୟବସାୟୀ ଶରତ ନାୟକଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିଲା ।

ହାଇଦର କଟକ ବଡ ମେଡିକାଲରେ ଥିବା ବେଳେ ଅର୍ଚ୍ଚନା ଓ ବନିତା ନିୟମିତ ରହୁଥିଲେ । ଏପରିକି ସେଠାରେ ନିୟୋଜିତ ଥିବା ନର୍ସଙ୍କୁ ହାଇଦର ଟଙ୍କା ଦେଇ ଉକ୍ତ କ୍ୟାବିନକୁ ଆସିବା ପାଇଁ ମନା କରି ଦେଇଥିଲା । ଅନ୍ୟପଟେ ସୋନାଲି ସ୍ୱାଇଁଙ୍କ ମା’ ହାଇଦରର ଧରମ ମା’ ହେବାର କଥା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କଟକ ବଡ ମେଡିକାଲରେ ଥିବା ବେଳେ ଉଭୟ ସୋନାଲି ଓ ତାଙ୍କ ମା’ ହାଇଦରକୁ ଦେଖାକରିବା ପାଇଁ ଆସୁଥିଲେ । ତେବେ ସୋନାଲି ଏକ ରାଜନୈତିକ ପରିବାରର ଝିଅ ହୋଇଥିବା ବେଳେ ତାଙ୍କ ମା’ କେନ୍ଦ୍ରାପଡାର ଏକ ରାଜନୈତିକ ଦଳର ଜନପ୍ରତିନିଧିଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିଥିବାର ସୂଚନା ମଳିଛି । ଯାହାଫଳରେ ହାଇଦରର ରାଜନୈତିକ ଲିଙ୍କ୍ କଥା ଚର୍ଚ୍ଚାରେ ରହୁଥିବା ବେଳେ ଏପରି ଘଟଣା ହାଇଦରକୁ ସନ୍ଦେହ ଘେରକୁ ଟାଣି ଆଣିଛି । ହାଇଦରର କେବଳ ଜଣେ କି ଦୁଇ ଜଣ ଧରମ ସମ୍ପର୍କୀୟ ନାହାଁନ୍ତି ବରଂ ପାଖା ପାଖି ୪୦ରୁ ୫୦ ଜଣ ସିରିଜ ଧରମ ସମ୍ପର୍କୀୟ ଥିବାର ଅନୁମାନ କରାଯାଉଛି । ତେବେ ଝାରପଡା, ସମ୍ବଲପୁର ଜେଲ ଓ ଡାକ୍ତରଖାନା ସମେତ କଟକ ବଡ ମେଡିକାଲରେ ପ୍ରାୟ ୧୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ହାଇଦର ଧରମ ବାପା, ମା’, ଭଉଣୀ ଏପରି ଅନେକ ସମ୍ପର୍କରେ ବାନ୍ଧି ରଖିଥିଲା । କେବଳ ଏତିକି ନୁହେଁ ବରଂ ଅନେକ ମହିଳା ଓ କଲେଜ ଛାତ୍ରୀଙ୍କୁ ମଧ୍ୟ ହାଇଦର ନିଜର ଧରମ ସମ୍ପର୍କୀୟ ତାଲିକାରେ ସାମିଲ କରିଛି । ଏପରି କରିବା ଦ୍ୱାରା ହାଇଦର ଅତି ସହଜରେ ତାଙ୍କ ମୋବାଇଲକୁ ବ୍ୟବହାର କରି ବଟି ଆଦାୟ କରୁଥିଲା । ଅନ୍ୟପଟେ ପୁଲିସ ଏହାର ଟେର ପାଇ ପାରୁନଥିଲା ।

Related Posts