
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟରେ କୋଭିଡ ମେଡିସିନ, ସ୍ବାସ୍ଥ୍ୟ ସାମଗ୍ରୀର କଳାବଜାରୀ ରୋକିବାକୁ ସ୍କ୍ୱାର୍ଡ ଗଠନ କରାଯାଇଛି। ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍ ଚାଲିବ । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଏଥିରେ ଲୋକାଲ ପୋଲିସ ସମେତ କ୍ରାଇମବ୍ରାଞ୍ଚ ସାମିଲ ରହିଛି। ଟୁଇନ ସିଟି ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ଅନ୍ୟ ସବୁ ଜିଲ୍ଲା ଗୁଡ଼ିକରେ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହେବେ। ତେବେ ବ୍ରହ୍ମପୁର,ସମ୍ବଲପୁର, ରାଉରକେଲା, ବାଲେଶ୍ୱର,ବରଗଡ଼ ସହ ଅନ୍ୟ ଜିଲ୍ଲା ଗୁଡ଼ିକ ଫୋକସରେ ରହିବ। ଏହି ସ୍କ୍ୱାଡ଼ ନିୟମିତ ଭାବେ ଷ୍ଟକ୍ ଯାଞ୍ଚ କରିବେ। ଏଡିଜି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ତାଙ୍କ ପାଖରେ କଳାବଜାରୀ ସମ୍ପର୍କିତ କିଛି ଖବର ଥାଏ ତେବେ ସେ ପୋଲିସକୁ ସୂଚନା ଦିଅନ୍ତୁ। ସୂଚନା ମିଳିଲେ କ୍ରିମିନାଲ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କଡା ଚେତାବନୀ ଦେଇଛନ୍ତି। ସେପଟେ ରାଜ୍ୟରେ ଆଜି ଆଉ ୪୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ରାଜ୍ୟରେ ଆଜି ୪ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।