‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ବିଜେପିର ଏକ ପ୍ରହସନ : କର୍ଣ୍ଣାଟକ ବିରୋଧି ଦଳ ନେତା ସିଦ୍ଧରମୈୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ୭୫ ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଆରମ୍ଭ ହୋଇଛି ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ବାନ କରିଛନ୍ତି ।ଏନେଇ ଚାରିଆଡେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିଜେପିର ଏହି ଅଭିଯାନକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ତଥା କର୍ଣ୍ଣାଟକ ବିରୋଧି ଦଳ ନେତା ସିଦ୍ଧରମୈୟା। ସେ କହିଛନ୍ତି, ”ଜାତୀୟ ପତାକା ପ୍ରତି ବିଜେପିର ସମ୍ମାନ ନାହିଁ । ସେମାନେ ଜାତୀୟ ସଙ୍ଗୀତ ଓ ପତାକା ବିରୋଧି ଅଟନ୍ତି ।” ହର୍‌ ଘର ତ୍ରିରଙ୍ଗା ଅଭିଯାନ କେବଳ ଏକ ପ୍ରହସନ ।”ତ୍ରିରଙ୍ଗା ଅଭିଯାନକୁ ପ୍ରହସନ କହି ସିଦ୍ଧରମୈୟା ଆରଏସଏସ୍ ଏବଂ ଶାସକ ବିଜେପିକୁ ସମାଲୋଚନା କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି, “ବିଜେପି ଆଇକନ ବୀର ସାୱରକର ତ୍ରିରଙ୍ଗାକୁ ବିରୋଧି କରିଥିଲେ । ଆରଏସଏସ ସାୱରକରଙ୍କ ପୂଜା କରୁଛି। ଯଦି ସେମାନେ ତ୍ରିରଙ୍ଗାକୁ ବିରୋଧ କରୁଛନ୍ତି ତେବେ କାହିଁକି ଏହି ହର୍‌ ଘର୍ ତ୍ରିରଙ୍ଗା ? ଏହା କ’ଣ ଏକ ପ୍ରସହନ ନୁହେଁ କି”, ବୋଲି ସେ କଟାକ୍ଷ କରିଛନ୍ତି ।ସିଦ୍ଧରମୈୟା ଅଭିଯୋଗ କରିଛନ୍ତି ଯେ, ”ବିଜେପି ସମ୍ବିଧାନକୁ ସମ୍ମାନ କରେ ନାହିଁ । ସ୍ବାଧୀନତାର ୭୫ ବର୍ଷ ପାଳନ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଜାତୀୟ ପତାକା ଖଦି ଏବଂ ସିଲ୍‌କରେ ପ୍ରସ୍ତୁତ ହେବା ଉଚିତ୍ । କିନ୍ତୁ ସେମାନେ ଚୀନରୁ ପତାକା ଆମଦାନୀ କରୁଛନ୍ତି । ବିଜେପି କ୍ଷମତାକୁ ଆସିବା ପରଠୁ ଚୀନରୁ ଆମଦାନୀ ବଢିଛି । ଯଦି ବିଦେଶରୁ ସବୁକିଛି ଆସୁଛି ତେବେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର କିଛି ମାନେ ନାହିଁ ।”

Related Posts