‘ଇଂରେଜ ଭାରତ ଛାଡ଼’ ସ୍ଲୋଗାନ ପରି ବିହାରରୁ ‘ବିଜେପି ଭଗାଓ’ ନାରା ଶୁଣିବାକୁ ମିଳୁଛି : ଅଖିଳେଶ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୀତିଶ କୁମାର ବିଜେପିର ହାତ ଛାଡିଛନ୍ତି। ଏହାପରେ ସେ ପୁଣି ଲାଲୁଙ୍କ ଦଳ ଆର୍‌ଜେଡି ସହ ମିଶି ସରକାର ଗଠନ କରିବା ଏକପ୍ରକାର ସ୍ଥିର ହୋଇଛି । ଏଥିପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ତେବେ ବିହାରରେ ବିଜେପି ଏକା ପଡ଼ିଯିବା ପରେ ଉତ୍ତର ପ୍ରଦେଶରୁ ଦଳକୁ ସମାଲୋଚନା କରାଯାଇଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ନୀତୀଶଙ୍କ ନିଷ୍ପତ୍ତିକୁ ଗୁଡ୍ ଷ୍ଟାଟ୍ ବୋଲି କହିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟା ଦଳମାନେ ମଧ୍ୟ ବିଜେପି ବିରୋଧରେ ଛିଡ଼ା ହେବେ ବୋଲି ଅଖିଳେଶ କହିଛନ୍ତି। ନୀତୀଶଙ୍କ ବିଜେପି ଛାଡ଼ ନିଷ୍ପତ୍ତିକୁ ଅଖିଳେଶ ଭାରତ ଛାଡ଼ ଅଭିଯାନ ସହ ତୁଳନା କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଯେପରି ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ଠିକ୍ ସେହିପରି ସମାନ ସ୍ଲୋଗାନ ବିହାରରୁ ବିଜେପି ବିରୋଧରେ ଶୁଣିବାକୁ ମିଳୁଛି ବୋଲି ଅଖିଳେଶ କହିଛନ୍ତି।

ଅଖିଳେଶ କହିଛନ୍ତି “ଏହା ଏକ ଭଲ ଆରମ୍ଭ। ଆଜିର ଦିନରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା। ହେଲେ ଆଜି ବିହାରରୁ ବିଜେପି ଭଗାଓ ନାରା ଶୁଣିବାକୁ ମିଳୁଛି। ମୁଁ ଭାବୁଛି ଖୁବ୍‌ଶୀଘ୍ର ରାଜନୈତିକ ଦଳ ଓ ବିଭିନ୍ନ ରାଜ୍ୟର ଲୋକମାନେ ବିଜେପି ବିରୋଧରେ ଛିଡ଼ା ହେବେ।”

ଅନ୍ୟପଟେ ନୀତୀଶ କୁମାର ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ନିଜର ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଲାଲୁଙ୍କ ଦଳ ସହ ବୈଠକ କରି ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନେବା ପରେ ନୀତୀଶ ଏଭଳି ନିଷ୍ପତ୍ତି ନେଇଛନ୍ତି।

Related Posts