“ମନୀଷ ସିସୋଦିଆ କ’ଣ ଭାଙ୍ଗ ଖାଇଛନ୍ତି କି ?, ସେ ପ୍ରତିଦିନ ସକାଳେ ପ୍ରାଣାୟମ କରନ୍ତୁ” : ବିଜେପି ନେତା ପରଭେଶ ବର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସିବିଆଇ ଓ ଇଡି ରୁଜୁ କରିଥିବା ମାମଲା ବନ୍ଦ କରିବାକୁ ମନୀଷ ସିସୋଦିଆଙ୍କୁ ଆପ ଛାଡ଼ିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିବା ନିଜେ କହିଛନ୍ତି ସିସୋଦିଆ। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲ ସରଗରମ ହୋଇ ଯାଇଛି। ବର୍ତ୍ତମାନ ବିଜେପି ଏହି ମନ୍ତବ୍ୟକୁ କାଉଣ୍ଟର କରିବା ସହ ସିସୋଦିଆ ଭାଙ୍ଗ ଖାଇଛନ୍ତି କି ବୋଲି ପ୍ରଶ୍ନ କରିଛି। ବିଜେପି ନେତା ପରଭେଶ ବର୍ମା କହିଛନ୍ତି, “ପ୍ରତିଦିନ ସକାଳେ ମନୀଷ ସିସୋଦିଆ ପ୍ରାଣାୟମ କରନ୍ତୁ। କ’ଣ ସେ ଭାଙ୍ଗ ଖାଇଛନ୍ତି? ତାଙ୍କୁ ବିଜେପି ସାମିଲ ହେବାକୁ ପ୍ରସ୍ତାବ ଦେଇଥିବା ଲୋକର ନାଁ ସେ ସାର୍ବଜନୀନ କରନ୍ତୁ। ଯଦି ସେ ନିଜ ନାକକୁ ତଳେ ଘଷିବେ, ତା’ହେଲେ ବି ବିଜେପି ତାଙ୍କୁ ନିଜ ସହ ସାମିଲ କରିବ ନାହିଁ।”

ଏହାପୂର୍ବରୁ ସିସୋଦିଆ ଟ୍ୱିଟ କରି କହିଥିଲେ ଯେ “ମୋ ପାଖକୁ ବିଜେପିର ସନ୍ଦେଶ ଆସିଛି। ଆପକୁ ଭାଙ୍ଗି ମୁଁ ଯଦି ବିଜେପି ମିଶିଯିବି, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ମୋ ଆଗରେ ସର୍ତ୍ତ ରଖିଛନ୍ତି। ହେଲେ ବିଜେପି ଜାଣିବା ଦରକାର ଯେ ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୋ ମୁଣ୍ଡ କଟି ଯିବ ପଛେ, କିନ୍ତୁ ମୁଁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ ନଇଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର।”

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଲାଗୁ ହୋଇ ପ୍ରତ୍ୟାହାର ହୋଇଥିବା ନୂଆ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଳରେ ସିବିଆଇ ମାମଲା କରିବା ସହ ସିସୋଦିଆ ଓ ଅନ୍ୟ କିଛି ଅଧିକାରୀଙ୍କ ଘରେ ପ୍ରାୟ ୧୫ ଘଣ୍ଟା ଧରି ରେଡ୍‌ କରିଥିଲା। ରେଡ୍‌ରୁ କ’ଣ ମିଳିଲା ସେକଥା ଜଣାପଡ଼ିନି। କିନ୍ତୁ ସିବିଆଇ ପରେ ଏବେ ଇଡି ମଧ୍ୟ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

Related Posts