ଅଫିସର କଥା ଶୁଣୁ ନାହାନ୍ତି, ଭଲ ଘର ଓ ଗାଡ଼ି ନମିଳିବାରୁ ଇସ୍ତଫା ଦେଇଦେଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାରର ନୀତୀଶ କୁମାର ସରକାରକୁ ଲାଗିଛି ବଡ଼ ଝଟକା । ନିତୀଶ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଥିବା ମଦନ ସାହନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସାହାନୀ ମନ୍ତ୍ରୀ ପଦ ଛାଡିବା ସହ ନିତୀଶ କୁମାର ସରକାରଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ରାଜ୍ୟରେ ଅମଲାତନ୍ତ୍ରୀକ ଶାସନ ଚାଲିଥିବା ଅଭିଯୋଗ କରି ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ବାହାଦୁରପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ସାହନୀ କହିଛନ୍ତି ଯେ ତାଙ୍କୁ ଭଲ ଗାଡ଼ି ଓ ଘର ମିଳିନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ଫଳରେ ସେ ଲୋକଙ୍କ ସେବା କରିପାରୁନାହାନ୍ତି, ତେଣୁ ପଦରେ ରହିବାର ଆବଶ୍ୟକ ନାହିଁ । ସେ ସମାଚାର ଏଜେନ୍ସି ANI କୁ କହିଛନ୍ତି ଯେ , ଅଧିକାରୀମାନେ ତାଙ୍କ କଥା ଶୁଣନ୍ତି ନାହିଁ ତେଣୁ ଲୋକଙ୍କ କାମ କିପରି ସରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସାହାନୀ କହିଛନ୍ତି ଯେ ନୀତୀଶ କୁମାରଙ୍କ ନିକଟତମ ଅଧିକାରୀ ଖୁବ୍ ସମ୍ପତ୍ତିର ଅଧିକାରୀ । ଏହି କ୍ରମରେ ଚଞ୍ଚଲ କୁମାରଙ୍କ ସମ୍ପତ୍ତି ଯାଞ୍ଚ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଆମେ ବର୍ଷ ବର୍ଷ ଧରି ଏକଛତ୍ରବାଦୀ ଶାସନର ସମ୍ମୁଖୀନ ହେଇଛୁ । ତେଣୁ ଏବେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ସେଥିପାଇଁ ଇସ୍ତଫା ଦେଉଛି । ସେ କହିଛନ୍ତି, ” ଏଠାରେ ଅମଲାତନ୍ତ୍ର କାହା କଥା ଶୁଣନ୍ତି ନାହିଁ। ଅଧିକାରୀମାନେ ସ୍ବାଧୀନ ଅଟନ୍ତି। କେବଳ ମନ୍ତ୍ରୀ ନୁହଁନ୍ତି, ସେମାନେ ଜନ ପ୍ରତିନିଧୀଙ୍କ କଥା ମଧ୍ୟ ଶୁଣନ୍ତି ନାହିଁ।” ତେବେ ସେ ପଦ ଛାଡ଼ିଥିଲେ ବି ଦଳରେ ରହିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରହିବା ନେଇ ସ୍ପଷ୍ଟ କରିଛନ୍ତି ।

Related Posts