ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ରାଜ୍ୟରେ ଦେଖାଦେଇଥିବା ହିଂସାକାଣ୍ଡ ଏବଂ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଜଷ୍ଟିସ ବିନୀତ ସରଣ ଏବଂ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର, ପଶ୍ଚିମବଙ୍ଗ ସରକାର ଏବଂ ଭାରତର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଆଡଭୋକେଟ ରଂଜନ ଅଗ୍ନିହୋତ୍ରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପାରାମିଲିଟାରୀ ଫୋର୍ସ ନିୟୋଜିତ କରିବା ପାଇଁ ନିବେଦନ କରାଯାଇଛି। ଏହା ସହ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସମ୍ବିଧାନର ଧାରା 356 ଅନୁଯାୟୀ, “ ଯଦି ରାଜ୍ୟରେ ସାମ୍ବିଧାନିକ ଅନୁଷ୍ଠାନ ଦାୟିତ୍ବ ତୁଲାଇବାରେ ବିଫଳ ହୁଏ ତେବେ ଏପରି ପରିସ୍ଥିତିରେ ରାଷ୍ଟ୍ରପତି ନିୟମ ଲାଗୁ କରାଯାଇପାରେ । ରାଷ୍ଟ୍ରପତି ଯଦି ରାଜ୍ୟପାଳଙ୍କଠାରୁ ଆଇନଶୃଙ୍ଖଳା ଏବଂ ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ବିଫଳତାକୁ ନେଇ ରିପୋର୍ଟ ଗ୍ରହଣ କରନ୍ତି କିମ୍ବା ରାଷ୍ଟ୍ରପତି ହୃଦୟଙ୍ଗମ କରନ୍ତି ଯେ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟ କରିପାରିବେ ନାହିଁ ତେବେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ । ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ ପଶ୍ଚିମବଙ୍ଗର ହଜାର ହଜାର ବାସିନ୍ଦା ବିରୋଧୀ ଦଳ- ଭାରତୀୟ ଜନତା ପାର୍ଟି (ବିଜେପି) କୁ ସମର୍ଥନ କରିଥିବାରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ଧାରା 355 ଏବଂ ଧାରା 356 ଆଧାରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମେ ୨ ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ଟିଏମସି କର୍ମୀ ଏବଂ ସମର୍ଥକମାନେ ହିଂସାକାଣ୍ଡ ସୃଷ୍ଟି କରିବା ସହ ହିନ୍ଦୁମାନଙ୍କ ଘର ଓ ସମ୍ପତ୍ତିରେ ନିଆଁ ଲଗାଇଛନ୍ତି ​​। ଏଥିରେ ଅତି କମରେ ୧୫ ଜଣ ବିଜେପି କର୍ମୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ସମୟରେ ହିଂସାକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସରକାର ଏବଂ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ସରକାର, ଅଧିକାରୀ , ପ୍ରଶାସନ ଏବଂ ପୋଲିସ ଟିଏମସି କର୍ମୀଙ୍କୁ ସାହାଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା।

Related Posts