
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳର ସମାଧାନ ହେବାକୁ ଯାଉଛି। ଏଥିପାଇଁ ଦଳର ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାପଟେନ ବନାମ ସିଦ୍ଧୁ ଝଗଡାରେ ପୂର୍ଣ୍ଣଛେଦ ଟାଣିବାକୁ ଦଳର ହାଇକାଣ୍ଡ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିବାଦର ସମାଧାନ ପାଇଁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ସିଦ୍ଧୁଙ୍କୁ ଦାୟିତ୍ବ ଦିଆଯାଇପାରେ । ଅର୍ଥାତ କଂଗ୍ରେସର ପଞ୍ଜାବ ମୁଖ୍ୟ ଭାବେ ସିଦ୍ଧୁ କାମ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖୁବଶୀଘ୍ର ଏ ନେଇ ଦଳର ହାଇକମାଣ୍ଡ ଘୋଷଣା କରିବେ । ଗତ ସପ୍ତାହରେ ଦିଲ୍ଲୀ ଆସି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ ନକରି ଫେରିଯାଇଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ସନ୍ତୁଷ୍ଟ ନଥିବା ଏହି ସୂତ୍ରରେ କୁହାଯାଇଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳରେ ସାଂଗଠନିକ ପରିବର୍ତ୍ତନ ସହ ପଞ୍ଜାବରେ କ୍ୟାବିନେଟ ସଂପ୍ରସାରଣ ହେବାର ମଧ୍ୟ ସମ୍ଭାବନା ରହିଛି। ବିବାଦ ମଧ୍ୟରେ ସିଦ୍ଧୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ। ଏହାପରେ ସୋନିଆ ଗାନ୍ଧୀଙ୍କୁ ଭେଟି ଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ତିକ୍ତତା ସମ୍ପର୍କରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅବଗତ କରାଇଥିଲେ ସିଦ୍ଧୁ । ଦଳୀୟ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରିବା ସପକ୍ଷରେ ମତ ଦେଇଛନ୍ତି। କିନ୍ତୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ। କିଛି ଦିନ ତଳେ ପଞ୍ଜାବର ଅବହୋର ନିର୍ବାଚନ ମଣ୍ଡଳୀରେ ସିଦ୍ଧୁ ନିଜକୁ ୨୦୨୨ ବିଧାନସଭା ନିର୍ବାଚନର କ୍ୟାପଟେନ ବୋଲି କହି ହୋର୍ଡିଂ ମାରିଥିଲେ। ଏହି ନିର୍ବାଚନ ମଣ୍ଡଳୀକୁ ପିସିସି ସଭାପତି ସୁନୀଲ ଝକର ପ୍ରତିନିଧିତ୍ୱ କରୁଛନ୍ତି। ଏହାପୂର୍ବରୁ ବିବାଦର ସମାଧାନ ପାଇଁ କଂଗ୍ରେସ ଗଠନ କରିଥିବା ୩ ଜଣିଆ କମିଟି ଆଗରେ ଉଭୟ ସିଦ୍ଧୁ ଓ କ୍ୟାପଟେନ୍ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ଅମରିନ୍ଦର ସିଂହଙ୍କ ସହ ମଧ୍ୟ ଏହି କମିଟି ସହ ଆଲୋଚନା କରିଥିଲେ। କମିଟି ପକ୍ଷରୁ ଉଭୟଙ୍କ ବୟାନ ଓ ନିଜର ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଦିଆଯାଇଥିଲା। ଏହାକୁ ଆଧାର କରି ହାଇକମାଣ୍ଡ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି।