ସରପଞ୍ଚ ପ୍ରାର୍ଥୀନୀକୁ ବଦନାମ କରିବାକୁ ଯାଇ ଘର ପଛପଟେ ଗଞ୍ଜେଇ ବସ୍ତା ରଖିଥିବାର ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଲେଣି । ସେପଟେ ନିର୍ବାଚନକୁ ନେଇ ସାଧାରଣ ଜନତାଙ୍କ ପାଖରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କୁ ବଦନାମ କରିବା ପାଇଁ ତାଙ୍କ ଘର ପଛପଟ ବାଡିରେ ଗଞ୍ଜେଇ ବସ୍ତା ରଖିବା ଅଭିଯୋଗ ହୋଇଛି। ତେବେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଡିଦୋ ଗ୍ରାମ ପଞ୍ଚାୟତରେ ଚଳିତ ବର୍ଷ ସରପଞ୍ଚ ପଦବୀ ପାଇଁ ଛବିରାଣୀ ସାହୁ ନାମକ ଜଣେ ପ୍ରାର୍ଥିନୀ ନିର୍ବାଚନ ଲଢୁଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ଘର ପଛ ପଟେ ଏକ ବସ୍ତା ଓ ବ୍ୟାଗରେ କିଛି ସନ୍ଦେହଜନକ ପଦାର୍ଥ ରଖିଦେଇଥିଲେ ।

ରିଆମାଳ ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ ଓ ବସ୍ତାକୁ ଜବତ କରି ଥାନାକୁ ନେଇଥିବା ବେଳେ ସେଥିରେ ଥିବା ଜିନିଷ ଗଞ୍ଜେଇ ବୋଲି ଜଣାପଡ଼ିଛି । ସରପଞ୍ଚ ପ୍ରାର୍ଥିନୀଙ୍କ ବିରୋଧୀ ଗୋଷ୍ଠୀ ତାଙ୍କୁ ତଥା ତାଙ୍କ ସ୍ବାମୀଙ୍କୁ ମିଛ କେଶରେ ଫସାଇବା ପାଇଁ ଚକ୍ରାନ୍ତ କରି ଏହି ଗଞ୍ଜେଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡିବା ପରେ ସରପଞ୍ଚ ପ୍ରାର୍ଥିନୀଙ୍କ ସମର୍ଥକମାନେ ବୁଡିଦୋ ଗାଁରେ ଶୋଭାଯାତ୍ରା କରିବା ସହ ଗାଁ ମଝିରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଘଟଣାରେ ଜଡିତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାର୍ଥିନୀ ତଥା ସମର୍ଥକମାନେ ଦାବି କରିଛନ୍ତି ।

Related Posts