ନେତାଙ୍କ ଘରୁ ମିଳିଲା ୭୦ ଲିଟର ବିଦେଶୀ ମଦ; ଭୋଟରଙ୍କୁ ବାଣ୍ଟିବା ପାଇଁ ଆଣିଥିବାର ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ସେପଟେ ନେତାମାନେ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ପ୍ରକାରର ପ୍ରତିଶୃତି ଦେଇ ଭୋଟ ହାତେଇବାରେ ଲାଗିଛନ୍ତି । ଏହା ମଧ୍ୟରେ ଜଣେ ସମିତି ସଭ୍ୟଙ୍କ ଘରୁ ୭୦ ଲିଟର ମଦ ମିଳିଥିବାର କଥା ସାମ୍ନାକୁ ଆସିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ସାରା ରାଜ୍ୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଞ୍ଚାୟତ ନିର୍ବାଚନରେ ମଦ କାରବାରକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ସମୟରେ ଜଣେ ନେତାଙ୍କ ଘରୁ ମଦ ଜବତ କରିଛି ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ । ସୂଚନାଯୋଗ୍ୟ ଯେ, ଯାଜପୁର ଏସପି ରାହୁଲ ପି.ଆରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସର ସ୍ଵତନ୍ତ୍ର ସ୍କ୍ବାର୍ଡ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଚିନ୍ମୟ ମହାନ୍ତିଙ୍କ ଘରେ ଚଢ଼ାଉ କରିଥିଲା ।

ସେଠାରେ ବେଆଇନ ଭାବେ ମହଜୁଦ ଥିବା ୮ପେଟି ବିଦେଶୀ ମଦ ଜବତ କରିଛି ସ୍ଵତନ୍ତ୍ର ସ୍କ୍ବାର୍ଡ । ଜବତ ମଦର ପରିମାଣ ୭୦ ଲିଟର ବୋଲି ଜଣାପଡିଛି । ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ନେତା ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ନିର୍ବାଚନ ସମୟରେ ଭୋଟରଙ୍କୁ ବାଣ୍ଟିବାକୁ ମଦ ଅଣାଯାଇଥିବା ନେଇ ଚର୍ଚ୍ଚା ହୋଇଛି ।

Related Posts