ଆଫଗାନିସ୍ତାନରେ ସ୍ବାସ୍ଥ୍ୟ ସଙ୍କଟ : ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ଅନୁମତି ଦେଲା ତାଲିବାନ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ସ୍ୱାସ୍ଥ୍ୟ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ମହିଳା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ତାଲିବାନ୍‌ ଅନୁମତି ଦେଇଛି।  ଆଫଗାନିସ୍ତାନରେ ନାରୀମାନଙ୍କୁ ତାଲିବାନ ନିର୍ଯ୍ୟାତନା ଦେଉଥିବା ରିପୋର୍ଟ ପ୍ରକାଶ ପାଉଥିବା ବେଳେ ତାଲିବାନ୍ ଏଭଳି ନିର୍ଦ୍ଦେଶ ଦେଇଛି। 

ତାଲିବାନ୍‌ ନେତା ଜବିହୁଲ୍ଲା ମୁଜାହିଦ୍‌ଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖପାତ୍ର ସୁହେଲ୍‌ ଶାହୀନ୍ ଟୁଇଟ୍‌ କରି କହିଛନ୍ତି ଯେ , ” ନିୟମିତ ଭାବେ କର୍ମକ୍ଷେତ୍ର କୁ ଫେରିବା ପାଇଁ ଉଭୟ ପ୍ରଦେଶ ଏବଂ ରାଜଧାନୀ ଅଧୀନ ‘ଜନସ୍ବାସ୍ଥ୍ୟ ମନ୍ତ୍ରାଳୟ’ର ସମସ୍ତ ମହିଳା କର୍ମଚାରୀମାନଙ୍କୁ ସୂଚାଇ ଦିଆଯାଉଛି। ସେମାନଙ୍କ କର୍ମକ୍ଷେତ୍ର ପ୍ରତ୍ୟାବର୍ତ୍ତନ ଘଟଣାରେ ‘ଇସ୍‌ଲାମିକ୍‌ ଏମିରେଟ୍‌’ର କୌଣସି ସମସ୍ୟା ନାହିଁ।”

ସୂଚନା ଥାଉକି ଏହା ପୂର୍ବରୁ ତାଲିବାନ୍‌ ପକ୍ଷରୁ କୁହାଯାଇଥିଲା ଯେ , ତାଲିବାନ ସୈନିକ ମାନେ ମହିଳା ମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ତାଲିମ ପାଇ ନ ଥିବାରୁ ସେମାନେ ଘରେ ରୁହନ୍ତୁ। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ ଯେ, ଏହା କ୍ଷଣସ୍ଥାୟୀ । 

ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତା) ନାରୀମାନେ ଘରେ ରୁହନ୍ତୁ। ଗତ ମଙ୍ଗଳବାର ଦିନ କାବୁଲ୍‌ରେ ସାମ୍ବାଦିକମାନଙ୍କୁ ତାଲିବାନ ପ୍ରବକ୍ତା କହିଥିଲେ ଯେ , ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ।

Related Posts