ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ଜଳମଗ୍ନ ହେଲା ବିମାନ ବନ୍ଦର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ବଙ୍ଗୋପସାଗରରଦେଇ ଗତି କରୁଥିବା ଏବଂ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ନାଗାପାଟ୍ଟିନମ୍ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ତିରୁଭାଲୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି ଏବଂ ମହାନଗରର ତଳିଆ ଅଞ୍ଚଳରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି | ଆସନ୍ତାକାଲି ମଧ୍ୟାହ୍ନରେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।

ବର୍ଷା ହେତୁ ଚେନ୍ନାଇର ସ୍ଥାନ ଜଳାର୍ଣ୍ଣବ ହୋଇଛି। ଏହି କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। ପ୍ରବଳ ବର୍ଷା ହେତୁ ଚେନ୍ନାଇର ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଜୁଳି ଓ ଇଣ୍ଟରନେଟର ସମସ୍ୟା ବି ଦେଖା ଦେଇଛି। ଏମିତିକି ଚେନ୍ନାଇର ବିମାନବନ୍ଦର ରନଓ୍ବେ ବର୍ଷା ପାଣିରେ ବୁଡିଯାଇଛି। ପ୍ରବଳ ବର୍ଷା ହେତୁ ରାସ୍ତାରେ କାଗଜ ଡଙ୍ଗା ଭଳି ଅନେକ ଦାମୀ ଗାଡ଼ି ଆଖି ସାମ୍ନାରେ ଭାସି ଯାଉଥିବା ଦେଖିବାକୁ ମିଳିଛି।ରାସ୍ତାକଡ଼ରେ ରଖାଯାଇଥିବା ଗାଡ଼ିଗୁଡ଼ିକ ପାଣିସୁଅରେ ଭାସି ଯାଉଥିବା ଭିଡିଓ ସାମ୍ନାକୁ ଆସିଛି।

ତେବେ ଏଭଳି ସମୟରେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆଜି ଓ ଆସନ୍ତାକାଲି ବାତ୍ୟା ‘ମିଗ୍‌ଜୋମ୍‌’ ତାଣ୍ଡବ ରଚିବ ବୋଲି ଅନୁମାନ କରାଯାଇଛି। ତେଣୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଯେଉଁ ଲୋକମାନଙ୍କ ଘରେ ପାଣି ପଶି ଯାଇଛି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ବିମାନ ବନ୍ଦରରେ ଆଣ୍ଠୁଏ ଉଚ୍ଚରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ତେଣୁ ଚେନ୍ନାଇ ବିମାନ ବନ୍ଦରରୁ ଯାଉଥିବା ଓ ଆସୁଥିବା ଉଡାଣକୁ ବାତିଲ କରାଯାଇଛି।। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରକୁ କୁମ୍ଭୀର ଚାଲି ଆସିଥିବାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏନେଇ ଲୋକେ ଭୟଭୀତ ହୋଇପଡିଛନ୍ତି।

ବାତ୍ୟା ମିଗଜୋମ୍‌ ସୋମବାର ତାମିଲନାଡୁର ଉପକୂଳରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Related Posts