ଶିବରାଜ ନା ମହାରାଜ: କିଏ ହେବ ପରବର୍ତ୍ତୀ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ନିର୍ବାଚନରେ କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା। ନିର୍ବାଚନୀ ରାଲିରେ ଦଳ ଏହି ପ୍ରଶ୍ନକୁ ଏଡ଼ାଇ ମୋଦୀଙ୍କ ବ୍ରାଣ୍ଡ୍ ରେ ନିର୍ବାଚନ ପ୍ରଚାର ହେବ ବୋଲି କହିଥିଲା।

ତେବେ ନିର୍ବାଚନରେ ପୁଣିଥରେ ବିଜେପି ସୁନାମି ଦେଖିବାକୁ ମିଳିଥିବା ବେଳେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି | ତେବେ ମୁଖ୍ୟମନ୍ତ୍ରୀ ଦୋୖଡରେ ଶିବରାଜ ସିଂହ ଚୌହାନ ପୁଣି ଆଗରେ ରହିଛନ୍ତି। ରାଜ୍ୟରେ ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଶିବରାଜଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ତାଙ୍କର ଫ୍ଲାଗ୍‌ସିପ୍ ଯୋଜନା ‘ଲାଡ଼ଲି ବେହନା’ ଭୋଟରଙ୍କୁ ଆକର୍ଷିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବା ଆଗରେ ଥିବା କୁହାଯାଉଛି।

ତେବେ ସବୁ ନିଷ୍ପତ୍ତି ବିଜେପି ସଂସଦୀୟ ବୋର୍ଡ ହାତରେ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ସିଂହ ପଟେଲ, ନରେନ୍ଦ୍ର ସିଂହ ତୋମର, କୈଳାସ ବିଜୟବର୍ଗୀୟ, ବିଜେପି ରାଜ୍ୟ ସଭାପତି ଭିଡି ଶର୍ମାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି | ଏମାନଙ୍କ ମଧ୍ୟରୁ ପ୍ରହ୍ଲାଦ ସିଂହ ପଟେଲ ଓବିସି ଚେହେରା ହୋଇଥିବାରୁ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ବୋଲି କୁହାଯାଉଛି | ସେପଟେ ଗୋୱାଲିୟରର ମହାରାଜ ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି | ସିନ୍ଧିଆଙ୍କର ମଧ୍ୟପ୍ରଦେଶ ରାଜନୀତିରେ ପ୍ରଭାବ ରହିଥିବାବେଳେ ସେ କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ଯୋଗୁଁ ଗତଥର ବିଜେପି ସରକାର ଗଢି ପାରିଥିଲା | ତେଣୁ ଶିବରାଜଙ୍କ ନାଁ ସହ ମହାରାଜ ସିନ୍ଧିଆଙ୍କ ନାଁକୁ ନେଇ ବିଜେପି ଅନ୍ତଃ ମହଲରେ ଚର୍ଚ୍ଚା ଚାଲିଛି | ଏଭଳି ସ୍ଥିତିରେ ବିଜେପି ସଂସଦୀୟ ବୋର୍ଡ କାହାକୁ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛନ୍ତି ଏବେ ତାହା ଦେଖିବାକୁ ବାକି ରହିଲା |

Related Posts