ଘୂର୍ଣ୍ଣିବଳୟ ‘ୟାସ’ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଇ ଆଲର୍ଟ ଜାରି, ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ରାଜ୍ୟ ମହାମାରୀ ସହ ଲଢ଼ୁଥିବା ବେଳେ ମାଡ଼ି ଆସୁଛି ଘୂର୍ଣ୍ଣିବଳୟ ୟାସ୍ । ଏନେଇ ରାଜ୍ୟସରକାର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଇ ଆଲର୍ଟ ଜାରି କରିଛନ୍ତି। ତେବେ ଆଜି ରାଜ୍ୟସରକାର ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ଡାକିଛନ୍ତି । ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ବୋଲି ସୂଚନା ମିଳିଛି । ଅନ୍ୟପଟେ ଆସନ୍ତା 26 ତାରିଖରେ ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୧୬୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନଡିଆରଏଫ, କୋଷ୍ଟଗାର୍ଡ, ଆଇଏନଏସ ଚିଲିକା, ଡିଜି ପୋଲିସ ଏବଂ ଡିଜି ଅଗ୍ନିଶମ ସେବା ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଅନ୍ୟପଟେ ସାଇକ୍ଲୋନ୍ ୟାସ୍ ପାଇଁ ବିଦ୍ୟୁତ୍ କମ୍ପାନୀ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜଳ ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓଡିଶା ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଏନଡିଆରଏଫ୍ ଦଳଗୁଡିକ ସହିତ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା ସହ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ସମଗ୍ର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଏବଂ ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଏହି ଘୂର୍ଣ୍ଣିବଳୟର ରାସ୍ତା ବିଷୟରେ ଅଧିକ ସ୍ପଷ୍ଟ ହୋଇଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ।

Related Posts