ପୌର ନିର୍ବାଚନ: ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପୌର ଭୋଟ । ସକାଳ 8 ଟରୁ ଆରମ୍ଭ ହୋଇଛି ମତଦାନ ପକ୍ରିୟା । ତେବେ ଶାନ୍ତି ଶୃଙ୍ଖଳା ମଧ୍ୟରେ ମତଦାନ ଚାଲିଥିବା ବେଳେ, ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଚାଲିଛି ଭୋଟ୍ ଗ୍ରହଣ। କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଛି । ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବାବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି ।

ମେୟର/ପୌରାଧ୍ୟକ୍ଷ ପଦବି ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫ ହଜାର ୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍ ଏସିର ୨ହଜାର ୯୮୯ଟି ବୁଥ୍ ରେ ଏବଂ ୩ଟି ମହାନଗର ନିଗମର ୧ ହଜାର ୩୮୪ ବୁଥ୍ ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ। ମତଦାତା ଜାଣିବା ପାଇଁ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍ ରେ ବ୍ୟବହାର କରାଯିବ।

Related Posts