(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ ବ୍ଯାପିବା ପର ଠାରୁ ଗତ ଦୁଇ ବର୍ଷ ହେବ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । କୋଭିଡ୍ ସଂକ୍ରମଣ ଭୟରେ ପାଠ ପଢ଼ା ହୋଇ ପାରୁ ନାହିଁ କି ଧାର୍ଯ୍ୟ ସମୟରେ ପରୀକ୍ଷା ମଧ୍ୟ ସମ୍ଭବ ହୋଇନାହିଁ। ଫଳରେ ଚଳିତବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି। ଅପରପକ୍ଷରେ ପରୀକ୍ଷା ଫଳକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଦଶମ ପରି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନେ ମଧ୍ୟ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ପାସ୍ ତ ହୋଇଗଲେ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେତେ ସଂଖ୍ୟାରେ ପିଲା ପାସ୍ ହୋଇଛନ୍ତି ସେମାନେ ପଢ଼ିବେ କେଉଁଠି ଆଉ ସେମାନଙ୍କୁ ପଢ଼ାଇବ କିଏ ?

ଚଳିତ ବର୍ଷ ମାଟ୍ରିକରେ ୬ଲକ୍ଷ ୧୮ହଜାର ଏବଂ ଯୁକ୍ତ ଦୁଇରେ ୩ଲକ୍ଷ ୭ହଜାର ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗତବର୍ଷ ଯୁକ୍ତ ଦୁଇରେ ୪ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଆଡମିସନ କରିଥିଲେ। ତେବେ ଅଧିକ ଛାତ୍ରଛାତ୍ରୀ ପାସ୍ କରିଥିବା କାରଣରୁ ଚଳିତବର୍ଷ ୫୫ହଜାର ସିଟ୍ ବୃଦ୍ଧି କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବା କଥା ହେଉଛି ଯେ ଯେହେତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କ ପାଇଁ କଲେଜରେ ସିଟ୍ ନଥିବା କାରଣରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଥିଲେ । ସିଟ୍ ସଂଖ୍ୟା ୫୫ହଜାର ବୃଦ୍ଧି ପାଇଛି କିନ୍ତୁ ତଦନୁସାରେ ଅନ୍ଯାନ୍ଯ ଭିତ୍ତିଭୂମି ସମ୍ପର୍କରେ ମନ୍ତ୍ରୀ କିଛି ସୂଚନା ଦେଇ ନାହାନ୍ତି। ସେହିପରି ଯୁକ୍ତ ତିନି କ୍ଷେତ୍ରରେ ଅନୁରୂପ ସମସ୍ୟା ଦେଖାଦେଇଛି। ସରକାର କଲେଜରେ ଆସନ ସଂଖ୍ୟା ବୃଦ୍ଧି କରି ଦେଉଛନ୍ତି କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସେମାନଙ୍କ ପାଇଁ କଲେଜଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ନାହିଁ, କିମ୍ବା ନିକଟ ଭବିଷ୍ୟତରେ ଭିତ୍ତିଭୂମି ସୁଦୃଢ କରାଯିବାର ସମ୍ଭାବନା ବି ଦେଖାଯାଉ ନାହିଁ। ଏ ବାବଦରେ ସରକାର ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ତେଣୁ ପିଲା କଲେଜରେ ଆଡମିଶନ କରିବା ପରେ ପାଠ ପଢା କିପରି ହେବ ତାହା ଜଳ ଜଳ ହୋଇ ଦେଖାଯାଉଛି। 

ନୂଆ କରି ଆଡମିସନ କରୁଥିବା ପିଲାଙ୍କୁ ପାଠ ପଢ଼ାଇବ କିଏ ? ପ୍ରଶ୍ନ ଉଠୁଛି ଯେ ଆଡମିସନ ପାଇଁ ଯେତିକି ସିଟ୍ ଅଛି ସେମାନଙ୍କୁ ପଢ଼ାଇବାକୁ ଆବଶ୍ୟକୀୟ ଶିକ୍ଷକ ଅଛନ୍ତି ତ ? ବର୍ତ୍ତମାନ ରାଜ୍ୟର ଏମିତି କୌଣସି ମହାବିଦ୍ୟାଳୟ ନାହିଁ ଯେଉଁଠି ଶିକ୍ଷକ ପଦ ଖାଲି ନାହିଁ।  ଛୋଟ ଛୋଟ କଲେଜ ତ ଦୂରର କଥା ରେଭେନ୍ସା ଏବଂ ବିଜେବି ଭଳି ବଡ଼ ବଡ଼ କଲେଜରେ ବି ଶିକ୍ଷକ ସଙ୍କଟ ଯୋଗୁଁ ପାଠପଢା ପ୍ରଭାବିତ ହେଉଛି । ରାଜ୍ୟର ସରକାରୀ କଲେଜଗୁଡ଼ିକରେ ସ୍ଥିତି ଭୟଙ୍କର, କୌଣସି ବି କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ସବୁଠାରେ ଭାରପ୍ରାପ୍ତଙ୍କ ତତ୍ତ୍ୱାବଧାନରେ କଲେଜ ଚାଲିଛି। ରାଜ୍ୟର ୫୧ଟି ସରକାରୀ କନିଷ୍ଠ ମହାବିଦ୍ୟାଳୟ (ଜୁନିୟର କଲେଜ) ରେ ପ୍ରାୟ ୧୦୦୦ ରୁ ଅଧିକ କନିଷ୍ଠ ଅଧ୍ୟାପକ ପଦ ଖାଲି ପଡ଼ିଛି । 

ସେହିପରି ସରକାରୀ ଡିଗ୍ରୀ ବା ଯୁକ୍ତ ତିନି କଲେଜରେ ପ୍ରାୟ ୬୦୦ ରୁ ଅଧିକ ଶିକ୍ଷକ ପଦ ଖାଲିପଡ଼ିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଶିକ୍ଷକ ଅବସର ନେଉଥିଲେ ବି ଖାଲି ପଡ଼ିଥିବା ପଦରେ ବି ନିଯୁକ୍ତି ଦିଆଯାଉ ନାହିଁ । ତେବେ ସର୍ଭିସ ସିଲେକ୍ସନ ବୋର୍ଡ଼ ଜରିଆରେ ପର୍ଯ୍ୟାୟ କ୍ରମେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରୟାସ ଚାଲିଥିବାରୁ କିଛି ମାତ୍ରାରେ ପଦ ପୂରଣ ହେଉଛି। 

ସରକାରୀ କଲେଜରେ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ଘରୋଇ ଯୁକ୍ତ ଦୁଇ ଓ ଡ଼ିଗ୍ରୀ କଲେଜ ଗୁଡ଼ିକରେ ଆହୁରି ଦୁରାବସ୍ଥା। ରାଜ୍ୟର ୪୮୮ଟି ସରକାରୀ ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରେ ପ୍ରାୟ ୨୦୦୦ ଅଧ୍ୟାପକ ପଦ ଖାଲିପଡ଼ିଛି। ୩୪ଟି ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏକାଠି ଚାଲିଛି ଏବଂ ୨୫୫ଟି ସରକାରୀ ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରେ ମଧ୍ୟ ଉଭୟ ପାଠ୍ୟକ୍ରମ ପଢ଼ାଯାଉଛି।

ସେହିପରି ଶିକ୍ଷକ ଅଭାବ ପୂରଣ ପାଇଁ ଅତିଥି ଶିକ୍ଷକ ବ୍ୟବସ୍ଥା ମଧ୍ୟ ଫଳପ୍ରଦ ହୋଇପାରୁ ନାହିଁ । ପ୍ରତି ମାସରେ ଅଧ୍ୟାପକ ଅବସର ନେଉଥିବା ବେଳେ ଗତ କିଛିଦିନ ତଳେ ୯୭୨ଟି ଅଧ୍ୟାପକ ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଅନ୍ୟ ପକ୍ଷରେ ରାଜ୍ୟର ୬୬୨ ବର୍ଗ ମହାବିଦ୍ୟାଳୟରେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ପଦ ଖାଲିପଡ଼ିଛି। ଶିକ୍ଷକ ନଥିବାରୁ ଆଗାମୀ ଶିକ୍ଷାବର୍ଷ ଗୁଡ଼ିକରଜ ଏସବୁ କଲେଜ ଗୁଡ଼ିକରେ କେବଳ ପିଲାଙ୍କ ଗହଳି ଦେଖିବାକୁ ମିଳିବ। କାରଣ ପିଲାଙ୍କ ତୁଳନାରେ ଶିକ୍ଷକ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି। 

କରୋନା କାରଣରୁ ଅଭିଭାବକ ମାନଙ୍କ ଆର୍ଥିକ ଅବସ୍ଥା ସେତେଟା ଭଲ ନାହିଁ, ତେଣୁ ସେମାନେ ଏବେ ସରକାରୀ ସାହାଯ୍ୟପ୍ରାପ୍ତ ଘରୋଇ କଲେଜ ଉପରେ ନିର୍ଭର କରିବେ ।  କିନ୍ତୁ ସରକାରୀ ସାହାଯ୍ୟପ୍ରାପ୍ତ ଘରୋଇ କଲେଜଗୁଡ଼ିକରେ ସହସ୍ରାଧିକ ସଂଖ୍ୟାରେ ଶିକ୍ଷକ ପଦ ଖାଲିପଡ଼ିଥିବାରୁ ସେମାନେ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି। 

ଖାଲି ପଡ଼ିଥିବା ପଦ ଗୁଡ଼ିକ ପୂରଣ କରିବା ଏବେ ସମ୍ଭବ ହେଉ ନଥିବାରୁୁ ଏବେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକମାନଙ୍କ ଅବସର ବୟସସୀମା ବଢ଼ାଇ ଦେବାର ଆବଶ୍ୟକତା ରହିଛି। ଏ ନେଇ ଶିକ୍ଷକ ସଂଘଗୁଡ଼ିକ ବାରମ୍ବାର ଦାବି ଉପସ୍ଥାପନ କରୁଥିଲେ ବି ସରକାର କିନ୍ତୁ କର୍ଣ୍ଣପାତ କରୁନାହାନ୍ତି। ବେଙ୍ଗଲ ସରକାର ଏ ସମସ୍ୟାର ସମାଧାନ କରିବା ପାଇଁ ଅଧ୍ୟାପକଙ୍କ ଅବସର ବୟସସୀମାକୁ ବୃଦ୍ଧି କରିଦେଇଥିବା ବେଳେ ଓଡ଼ିଶା ସରକାର ଚୁପ୍ ବସିଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟବ୍ୟାପୀ ବିଭିନ୍ନ କଲେଜରେ କିରାଣି, ଚତୁର୍ଥଶ୍ରେଣୀ କର୍ମଚାରୀ, ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ, ଗ୍ରନ୍ଥାଗାରିକ ଭଳି ବହୁ ସଂଖ୍ୟାରେ ଅଣଶିକ୍ଷକ ପଦ ଖାଲିପଡ଼ିଛି। ଏ ଦିଗ ପ୍ରତି ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ବିଭାଗ ଠିକଣା ପଦକ୍ଷେପ ଗ୍ରହଣ କରୁନଥିବା ବିଭିନ୍ନ କଲେଜ ସଂଘଗୁଡ଼ିକ ଅଭିଯୋଗ କରୁଛନ୍ତି।