ଅଧ୍ୟକ୍ଷ ଦାୟିତ୍ବରେ ଲାଇବ୍ରେରିଆନ୍‌, ନାହିଁ ନାହିଁରେ ଚାଲିଛି ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜାମ ଜିଲ୍ଲାରେ ରହିଛି ମୋଟ ୭ଟି କେନ୍ଦ୍ରୀୟ ବିଦ୍ୟାଳୟ। ମାତ୍ର ନାହିଁ ନାହିଁରେ ଏବେ ଚାଲିଛି ଅଧିକାଂଶ ବିଦ୍ୟାଳୟ। ଘୋର ଅବ୍ୟବସ୍ଥା ଯୋଗୁ ପାଠ ପଢା ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳିକାଟୁରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅବସ୍ଥା କହିଲେ ନସରେ। ଏଠାରେ ଖାଲି ପଡ଼ିଛି ଅଧ୍ୟକ୍ଷ ପଦବୀ, ଆଉ ଏହି ପଦବୀର ଦାୟିତ୍ୱରେ ବର୍ତ୍ତମାନ ରହିଛନ୍ତି ଜଣେ ଲାଇବ୍ରେରିଆନ୍‌। ଅନୁରୂପ ଭାବରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ମଧ୍ୟ ଏଠାରେ ନାହାନ୍ତି। ଏଣୁ ଠିକା ଶିକ୍ଷକ ନିଯୁକ୍ତି କରି ପାଠପଢ଼ା ଚାଲିଛି।

୨୦୧୫ ମସିହାରେ ଗଞ୍ଜାମ ଜିଲ୍ଲାର ହିଂଜିଳିକାଟୁ ଠାରେ ପ୍ରତିଷ୍ଠା ହୋଇଥିଲା କେନ୍ଦ୍ରୀୟ ବିଦ୍ୟାଳୟ। ପ୍ରତିଷ୍ଠାର ପାଖାପାଖି ୭ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ବିଦ୍ୟାଳୟର କୌଣସି ସ୍ଥାୟୀ କୋଠାନାହିଁ। ଫଳରେ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠର କୋଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ପ୍ରାୟ ୮ଏକର ଜମି ଚିହ୍ନଟ ହୋଇସାରିଛି। ହେଲେ ସେହି ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବାରୁ ରାଜ୍ୟ ସରକାର ଏଥିପ୍ରତି ଏତେଟା ଗୁରୁତ୍ଵ ଦେଉ ନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

ତେବେ ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଟ ୨୨ଜଣ ଶିକ୍ଷକ ଆବଶ୍ୟକ ରହିଛି। ହେଲେ ମୋଟ ୪ଜଣ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ବିଦ୍ୟାଳୟ ଚାଲିଛି। ଅନ୍ୟ ଶିକ୍ଷକ ମାନେ ସମସ୍ତେ ଠିକାରେ ନିଯୁକ୍ତି ପାଇଛନ୍ତି। ସ୍ଥାୟୀ କର୍ମଚାରୀ ତାଲିକାରେ ଜଣେ ଲାଇବ୍ରେରିଆନ୍‌, ଜଣେ ଟିଜିଟି ଶିକ୍ଷକ, ଜଣେ ପ୍ରାଥମିକ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ନଭେମ୍ବର ୨୦୨୧ ମସିହାରୁ ଏଠାରେ ଅଧ୍ୟକ୍ଷ ପଦବି ଖାଲି ରହିଛି। ଏଣୁ ବରିଷ୍ଠତା ଦୃଷ୍ଟିରୁ ଲାଇବ୍ରେରିଆନ୍‌ଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ଦୁଇଜଣ ସ୍ଥାୟୀ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇ ପାଠ ପଢ଼ାଉଛନ୍ତି। ସେହିଭଳି, ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି। କିନ୍ତୁ, ଆବଶ୍ୟକ ଅନୁସାରେ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।

ଅନ୍ୟପକ୍ଷ‌ରେ, ବିଦ୍ୟାଳୟ ପ୍ରତିଷ୍ଠାର ପାଖାପାଖି ୭ବର୍ଷ ସମୟ ବିତି ସାରିଥିଲେ ମଧ୍ୟ ଏଯାଏ ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ହୋଇପାରୁ ନାହିଁ। ବିଦ୍ୟାଳୟରେ ଏବେ ମୋଟ ୪୭୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାମ୍ପସ୍‌ ନିର୍ମାଣ ହୋଇପାରି ନାହିଁ। ଚିହ୍ନଟ ହୋଇଥିବା ଜାଗାରେ କିପରି କ୍ୟାମ୍ପସ୍‌ ନିର୍ମାଣ ଆରମ୍ଭ ‌ହେବ, ସେ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Related Posts