ହକି ବିଶ୍ୱକପ୍‌ ଟିକେଟ୍‌ କଳାବଜାରୀ; ୫ ଜଣଙ୍କୁ ବାନ୍ଧିଲା ପୁଲିସ୍

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଚାଲିଛି ପୁରୁଷ ହକି ବିଶ୍ୱକପ୍। ସେଥିପାଇଁ ଚାରିଆଡେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ଖଣ୍ଡିଏ ପାଇବା ପାଇଁ ପ୍ରବଳ ପ୍ରତିଯୋଗିତା। ଘଣ୍ଟା ଘଣ୍ଟା ଖରାରେ ଠିଆ ହେଲେବି ମିଳୁନାହିଁ ଟିକେଟ। ସେହିଭଳି ଅନଲାଇନ୍ ଟିକେଟ କରିବାକୁ ଯାଇ ବାରମ୍ବାର ବିଫଳ ହେବାକୁ ପଡୁଛି। ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍‌।

ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ ।ଏହା ଜାଣିବା ପରେ ସେମାନଙ୍କୁ ଧରିବାକୁ ଜାଲ ବିଛାଇଲା ପୁଲିସ୍‌। ଆଉ ଶେଷରେ ୫ କଳାବଜାରୀଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।

ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ଏଥିନିମନ୍ତେ ସେମାନେ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍‌ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଟଙ୍କା ନେଇ ଟିକେଟ ଦେଉଥିଲେ।

ଏପରି ଏକ ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିବା ଜାଣିପାରି କମିଶନରେଟ ପୁଲିସ୍‌ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଉକ୍ତ କଳା ବଜାରୀଙ୍କୁ ଫୋନ୍‌ କରି ସେମାନେ କହିଥିବା ଜାଗାରେ ପହଞ୍ଚି ସେମାନଙ୍କୁ ବାନ୍ଧିଛି ପୁଲିସ୍‌ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଅନ୍ୟମାନେ ବ୍ୟବସାୟ କରନ୍ତି ବୋଲି ଜଣାଯାଇଛି।

Related Posts