(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଗୁରୁ ଦିବସ। ଏହି ଦିନଟି ସାଧାରଣତଃ ଗୁରୁ ମାନଙ୍କ ପାଇଁ ସମର୍ପିତ। ଗୁରୁ ଦିବସ ଭଳି ପବିତ୍ର ଦିନରେ ରାଷ୍ଟ୍ର ନିର୍ମାଣ ଓ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଆଜିର ଦିନରେ ଗୁରୁଙ୍କୁ ସମ୍ମାନିତ କରାଯାଇଥାଏ।
ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଗୁରୁ ଦିବସ ପାଳିତ ହୋଇଛି। କେଉଁଠି ଭିଡିଓ କନଫରେନ୍ସ ଜରିଆରେ ତ ପୁଣି କେଉଁଠି ସିମୀତ ସଂଖ୍ୟାରେ କଟକଣା ମାନି ଗୁରୁଦିବସ ପାଳନ ହୋଇଛି।
ଆଜି ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରିଛନ୍ତି। ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି ।
ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀଙ୍କୁ ଓ ଗଞ୍ଜାମ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ୍ ସେଠୀ, ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ ହୋଇଛନ୍ତି । ଭର୍ଚୁଆଲ୍ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।