ନୂଆଦିଲ୍ଲୀ : ବିହାରର ସାରଣ ଜିଲ୍ଲା ଅନ୍ତର୍ଗତ ଛାପ୍ରାସ୍ଥିତ ଖୋଦାଇବାଗ ଅଞ୍ଚଳରେ ଏକ ଭୟଂକର ବିସ୍ଫୋରଣ ଘଟିଛି । ରବିବାର ଏହି ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ଉଡ଼ିଯାଇଛି । ଏଥିସହ ଏହି ଘଟଣାରେ ୬ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ଜଣ ଲୋକ ଆହତ ହୋଇଛନ୍ତି ।
ବିସ୍ଫୋରଣରେ ଉକ୍ତ ୩ ମହଲା ବିଶିଷ୍ଟ ଘର ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅନେକ ଲୋକ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ପହଞ୍ଚିଥିଲା । କୁହାଯାଉଛି ଯେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଏହା ଯୋଗୁ ୧୦ରୁ ଅଧିକ ଲୋକ ପ୍ରାଣ ହରାଇ ଥାଇପାରନ୍ତି । ବିସ୍ଫୋରଣ ପାଖାପାଖି ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହୋଇଥିଲା । ୩ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା ।
ଉକ୍ତ ଘରେ ଏକ ବେଆଇନ ବାଣ କାରଖାନା ଚାଲୁଥିଲା । ବାଣ ତିଆରି ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଖୋଦାଇବାଗ ଅଞ୍ଚଳରେ ବେଆଇନ ଭାବେ ବାଣ କାରଖାନାମାନ ଚାଲୁରହିଛି । ଏହା ପୂର୍ବରୁ ଖୋଦାଇବାଗ ଅଞ୍ଚଳର ଓଲହନପୁରରେ ଦୁଇଥର ବାଣ ବିସ୍ଫୋରଣ ହୋଇଥିଲା ।
ତେବେ ଏହି ଅଂଚଳରେ ବେଆଇନ ଭାବରେ ବାଣ ତିଆରି ଚାଲୁଥିବା ବେଳେ, ବାରବାର ଅଘଟଣ ଏଵଂ ପୋଲିସ ର ନିରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
