
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓକିଲ ବାବୁରୁ ଭାଇସାହେବ ଏବଂ ଭାଇସାହେବରୁ ଗୁରୁଜୀ ରୂପେ ସମ୍ମାନ ପାଉଥିବା ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଓ ଛାମୁଆ ମାନବବାଦ ସଂଗଠନର ଗୁମର ଧୀରେ ଧୀରେ ପଦାରେ ପଡ଼ିବାକୁ ଲାଗିଛି।
ଏହି ସଂଗଠନର ଲମ୍ବା ଅପରାଧ ତାଲିକା ବହୁତ୍ ଲମ୍ବା । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଭିମାନପୁରରୁ ଆରମ୍ଭ ହୋଇ ଖୋର୍ଦ୍ଧା, ଟାଙ୍ଗୀ, ପିପିଲି, ଡେଲାଙ୍ଗ, ନିମାପଡ଼ା, କଳାହାଣ୍ତି, ଅନୁଗୁଳ ଯାଏଁ ବ୍ୟାପିଛି ଏହି ସଙ୍ଗଠନର ଆତଙ୍କ । ତେବେ ମାବବାଦ ସଂଗଠନ ନାମରେ ଚାଲିଥିବା ଅମାନବୀୟ ଆଚରଣକୁ ରାଜନେତାଙ୍କଠାରୁ ପୁଲିସ ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଥିଲେ।
ଭୋଟ ପାଇଁ ୨୦୧୯ ନିର୍ବାଚନ ସମୟରେ ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନେତା ମାନସ ଦାସଙ୍କ ପାଦ ତଳେ ଶରଣ ନେଇଥିଲେ। ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ତଥା କଥିତ ଗୁରୁଜୀ ମାନସ ଦାସଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଥିବା ନଜରକୁ ଆସିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମାନସ ଦାସଙ୍କୁ ‘ପୃଥିବୀର ଶ୍ରେଷ୍ଠ ଗୁରୁ’ ଏବଂ ଏଭଳି ଗୁରୁଙ୍କ ଶିଷ୍ୟ ହୋଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଧନ୍ୟ ବୋଲି ଏକ ସଭାରେ କହିଥିଲେ। କେବଳ ଏତିକି ନୁହେଁ କଳାହାଣ୍ତି, ଅନୁଗୁଳର ଅନେକ ବିଜେଡି ନେତା ମଧ୍ୟ ମାନସ ଦାସଙ୍କ ଠାରୁ ଆଶୀର୍ବାଦ ନେଇଥିବାର ସୂଚନା ରହିଛି।
ସୂଚନାଯୋଗ୍ୟ ଯେ ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଏକ ଅଣପଞ୍ଜୀକୃତ ସଂସ୍ଥା। ତାଙ୍କ (ମାନସ ଦାସ) ସୁରକ୍ଷା ପାଇଁ ୩୦ ଜଣ ଯୁବକ ସର୍ବଦା ନିୟୋଜିତ ଥାଆନ୍ତି। ବେଗୁନିଆ ଅଞ୍ଚଳରେ ଚାଲୁଥିବା ଏହି ଘରୋଇ ସୁରକ୍ଷା ବାହିନୀର ମୁଖ୍ଯ ଥିଲେ ସ୍ବପ୍ନେଶ୍ବର ନାୟକ। ବର୍ତ୍ତମାନ ସେ ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। ସେହିଭଳି ବିଭିନ୍ନ ଅଞ୍ଚଳରେ ଛାମୁଆ ସଂଗଠନର ଦାୟିତ୍ବ ସ୍ଥାନୀୟ ଯୁବକଙ୍କୁ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ସଭ୍ୟ ଚାନ୍ଦା, ମାସିକ, ତ୍ରୟମାସିକ ଓ ବାର୍ଷିକ ଚାନ୍ଦାରୁ ମାସିକ ୩୦-୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏବଂ ଏହି ଟଙ୍କାରୁ ସଂଗଠନର ସଶସ୍ତ୍ର ଘରୋଇ ବାହିନୀର ସଦସ୍ୟଙ୍କୁ ମାସିକ ୩ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଦିଆଯାଇଥାଏ। ଏହାସହ ସେମାନେ ଯେତିକି ସଭ୍ୟ ସଂଗ୍ରହ କରିବେ, ସଂଗଠନ ବଢ଼ାଇବେ ତଦନୁସାରେ ସେମାନଙ୍କୁ ଅତିରିକ୍ତ ଭତ୍ତା ମଧ୍ୟ ମିଳିଥାଏ। ନାମ ନକହିବା ସର୍ତ୍ତରେ ସଂଗଠନର ଏଭଳି ଚାଞ୍ଚଲ୍ୟ କର ଖୁଲାସା କରିଛନ୍ତି ସଂଗଠନ ସହ ଜଡ଼ିତ କିଛି ସକ୍ରିୟ ଯୁବକ ।
ସେମାନଙ୍କ କହିବା ଅନୁସାରେ , କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଏକ ନିୟମିତ ଘଟଣା। ନିର୍ବାଚନ ସମୟରେ ମଧ୍ୟ ନିର୍ଦ୍ଦିଷ୍ଟ ନେତା ଓ ଦଳକୁ ଭୋଟ ଦେବା ପାଇଁ ଫତୁଆ ଜାରି ହୋଇଥାଏ। ଏହାର ଖିଲାପ କଲେ, କିମ୍ବା ଚାନ୍ଦା ନଦେଲେ, ନିଜର ସମ୍ପର୍କୀୟଙ୍କୁ ସଂଗଠନରେ ସାମିଲ୍ ନକଲେ ସମୀକ୍ଷା କରାଯାଇ ସମସ୍ତଙ୍କ ସାମ୍ନାରେ ମାଡ଼ ମାରାଯାଇଥାଏ। ଏହାପରେ ଖୋଦ୍ ମାନସ ଦାସ ସେମାନଙ୍କୁ ବିଭିନ୍ନ ମାମଲାର ଭୟ ଦେଖାଇ ଚୁପ୍ କରିଦିଅନ୍ତି ବୋଲି ସଙ୍ଗଠନର କିଛି କର୍ମୀ କହିଛନ୍ତି । ଫାଣ୍ତି କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀ ଯାଏଁ ସଂଗଠନ ଠାରୁ ବିଭିନ୍ନ ସହାୟତା ପାଇଥା’ନ୍ତି। ବିଭିନ୍ନ ମାମଲାକୁ ରଫାଦଫା କରିବାରେ ଲାଞ୍ଚଠାରୁ ଆରମ୍ଭ କରି ଥାନାରୁ ମାମଲା ମାନସ ଦାସଙ୍କ ନିକଟକୁ ପଠାଇବାରେ ଉଭୟ ଲାଭବାନ ହୋଇଥାନ୍ତି ବୋଲି କହିଛନ୍ତି ।