ଟୋକିଓ ପାରାଅଲମ୍ପିକ୍ସ: ଦିନକରେ ଭାରତର ୩ଟି ପଦକ , ଭାବିନା ଓ ନିଶାଦ୍‌ଙ୍କୁ ରୌପ୍ୟ ; ବିନୋଦଙ୍କୁ କାଂସ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ କ୍ରୀଡ଼ା ଦିବସରେ ପାରାଅଲିମ୍ପିଆନ୍‌ମାନେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି। ରବିବାର ସକାଳୁ ଟେବୁଲ ଟେନିସ୍‌ରେ ଭାବିନା ପଟେଲ ଦେଶକୁ ପ୍ରଥମ ପଦକ ଜିତାଇଥିବା ବେଳେ ସନ୍ଧ୍ୟାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଫାଇନାଲରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କଠାରୁ ୦-୩ରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି।ରବିବାର କ୍ଳାସ-୪ ମହିଳା ସିଙ୍ଗଲ୍‌ସ ଫାଇନାଲରେ ଭାବିନା ଚୀନ୍‌ର ଝୌ ଝେଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।

ସେହିପରି ଭାରତର ନିଶାଦ୍ କୁମାର ପୁରୁଷ ହାଇଜମ୍ପ୍‌ରେ ରୌପ୍ୟ ପଦକ ଜିତିଥିବା ବେଳେ ବିନୋଦ କୁମାର ପୁରୁଷ ଡିସ୍‌କସ ଥ୍ରୋ’ରେ କାଂସ୍ୟ ପଦକ ଜିତିଛନ୍ତି । ଫଳରେ ଗୋଟିଏ ଦିନରେ ଭାରତ ୩ଟି ପଦକ ଜିତିପାରିଛି । ରୌପ୍ୟ ପଦକ ବିଜେତା ନିଶାଦ୍ କୁମାର ନୂତନ ଏସୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ନିଶାଦ୍‌ ୨.୦୬ ମିଟର ଉଚ୍ଚକୁ ଡେଇଁ ରବିବାର ଏହି କ୍ରୀଡ଼ାର ୫ମ ଦିନରେ ଭାରତକୁ ୨ୟ ପଦକ ଜିତାଇଥିଲେ।

ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶର ଉନା ଜିଲାର ବାସିନ୍ଦା ନିଶାଦ କୁମାର ଦୁବାଇରେ ଅନୁଷ୍ଠିତ ୨୦୧୯ ବିଶ୍ବ ଚମ୍ପିଆନ୍‌ସିପରେ ୩ୟ ସ୍ଥାନ ହାସଲକରି କାଂସ୍ୟପଦକ ହାସଲ କରିଥିଲେ। ରବିବାର ଟୋକିଓ ପାରା ଅଲମ୍ପିକରେ ଭାରତକୁ ୩ୟ ପଦକ ଜିତାଇଛନ୍ତି ବିନୋଦ କୁମାର। ପୁରୁଷ ଡିସ୍‌କସ ଥ୍ରୋ ଏଫ୍‌୫୨ ବର୍ଗରେ ବିନୋଦ ୩ୟ ସ୍ଥାନରେ ରହି କାଂସ୍ୟ ଜିତିଛନ୍ତି। ଭାରତୀୟ କ୍ରୀଡାବିତଙ୍କ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Related Posts