ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କଲା ‘କାଳିଆ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ‘କାଳିଆ’ କେଳେଙ୍କାରୀର ଆଉ ଏକ ଫର୍ଦ୍ଦ । କାଳିଆ ଟଙ୍କା ହାତେଇବାକୁ ଅଲଗା ହୋଇଛନ୍ତି ସ୍ବାମୀ-ସ୍ତ୍ରୀ । ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଦୁଇଟି ଅଲଗା ଅଲଗା ପରିବାରର ମୁଖ୍ୟ ଭାବେ ଦର୍ଶାଯାଇ ଚାଷୀଙ୍କ ଟଙ୍କା ହରିଲୁଟ କରାଯାଇଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । କେଉଁଠି ସ୍ବାମୀ-ସ୍ତ୍ରୀ ଉଭୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ହାତେଇଥିବା ବେଳେ ଆଉ କେଉଁଠି ସ୍ବାମୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ସ୍ତ୍ରୀ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇ ଥିବା ଜଣାପଡ଼ିଛି ।

‘କାଳିଆ’ କେଳେଙ୍କାରୀର ଆଉ ଏକ ଫର୍ଦ୍ଦ

କାଳିଆ ଟଙ୍କା ପାଇଁ ରାଜନଗର ବ୍ଳକର ଓସ୍ତିଆ ଗାଁରେ ୨୦ ଯୋଡ଼ା ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା

ରାଜନଗର ବ୍ଲକରେ ଶତାଧିକ ସ୍ବାମୀ-ସ୍ତ୍ରୀ ଅଲଗା ହୋଇଛନ୍ତି

ଚାଷୀ ଟଙ୍କା ହାତେଇବାକୁ ଭୁଲି ନାହାନ୍ତି ଦାୟିତ୍ବରେ ଥିବା ଅଧିକାରୀ

କାଳିଆ ତାଲିକା କରୁଥିବା ଅଧିକାରୀ ନିଜ ଏବଂ ପରିବାର ନାଁ ହାତେଇଛନ୍ତି କାଳିଆ ଟଙ୍କା

କାଳିଆ ଯୋଜନାର ଗାଇଡ୍ଲାଇନ କହୁଛି ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ନୋଇ ଗୋଟିଏ କୃଷକ ପରିବାର । ମାତ୍ର ରାଜନଗର ବ୍ଲକରେ ଶତାଧିକ ସ୍ବାମୀ-ସ୍ତ୍ରୀ ଅଲଗା ଅଲଗା ପରିବାରର ମୁଖ୍ୟ ଭାବେ କାଳିଆ ଟଙ୍କା ହାତେଇଛନ୍ତି । ଓସ୍ତିଆ ଗାଁର ୨୦ଜଣ ସ୍ବାମୀ-ସ୍ତ୍ରୀ କାଳିଆ ସହାୟତା ପାଇଁ କିଭଳି ପରସ୍ପରଠାରୁ ଅଲଗା ହୋଇଛନ୍ତି ତାହାର ପ୍ରମାଣ ଲାଗିଛି ସତ୍ୟପାଠ ହାତରେ । ଏଥିରୁ ପୂରା ବ୍ଲକରେ ଥିବା ୩୧୪ ଗାଁରେ କାଳିଆ କେଳେଙ୍କାରୀର ସଂଖ୍ୟା କେତେ ହେବ ତାହା ଅନୁମାନ କରାଯାଇପାରେ । ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁର ହଳଧର ମଇ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି । ତାଙ୍କର ପତ୍ନୀ ଜ୍ୟୋତ୍ସ୍ନାରାଣୀ ମଇ ପୃଥକ ପରିବାରର ମୁଖ୍ୟ ଭାବେ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇଛନ୍ତି ।

ସେହିପରି ବିଜୟ କୁମାର ନାୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ଓ ତାଙ୍କ ପତ୍ନୀ ପ୍ରେମଲତା ନାୟକ ଭୂମିହୀନ ଚାଷୀ ଭାବେ, ମୂରଲୀ ସେଠୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ଏବଂ ପତ୍ନୀ ଅଳକା ସେଠୀ ଭୂମିହୀନ ଚାଷୀ ଭାବେ ସହାୟତା ହାତେଇଛନ୍ତି । ଲକ୍ଷ୍ମୀଧର ପରିଡ଼ା ଓ ତାଙ୍କ ପତ୍ନୀ ବିଜୁଳି ପରିଡା, ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ବବିତା ପାତ୍ର ଉଭୟ ଭୂମିହୀନ ଚାଷୀ ଭାବେ ସହାୟତା ପାଇଛନ୍ତି। ସେହିପରି ଗଣେଶ୍ବର ମଇ ଓ ତାଙ୍କ ପତ୍ନୀ ନିର୍ମଳା ମଇ, ବେଣୁଧର ମଇ ଓ ତାଙ୍କ ପତ୍ନୀ ଶାନ୍ତିଲତା ମଇ, ସୁକାନ୍ତ କୁମାର ମଇ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ମଇ, କୁବେର ମଇ ଓ ତାଙ୍କ ପତ୍ନୀ କବିତା ମଇ, ମୋହନ ଚନ୍ଦ୍ର ବଳ ଓ ତାଙ୍କ ପତ୍ନୀ ଶାନ୍ତି ବଳ, ଜୟଗୋବିନ୍ଦ ସେଠୀ ଓ ତାଙ୍କ ପତ୍ନୀ କାଂଚନ ସେଠୀ ପୃଥକ ପରିବାରର ମୁଖ୍ୟ ଭାବେ କାଳିଆ ସହାୟତା ହାତେଇ ନେଇଛନ୍ତି। ସମସ୍ତେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲେ ଏହି ଘୋଟାଲାର ସଂଖ୍ୟା ଓସ୍ତିଆ ପଞ୍ଚାୟତରେ ଅଧିକ । ଏଠି ଶତାଧିକ ସ୍ବାମୀ-ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ କାଳିଆ ଟଙ୍କା ପାଇଛନ୍ତି । କାଳିଆ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ଦାୟିତ୍ବରେ ଥିବା ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟ ଏହି ସହାୟତା ହାତେଇ ନେଇଥିବା ଜଣାପଡ଼ିଛି ।

ରାଜନଗରରେ କାଳିଆ ପାଇଁ ସ୍ବାମୀ-ସ୍ତ୍ରୀ ଅଲଗା ହେବା ଜଣା ପଡ଼ିବା ପରେ ଏବେ ବୁଦ୍ଧିଜୀବୀ ମାନେ କହୁଛନ୍ତି ସାରା ରାଜ୍ୟରେ କାଳିଆ ଯୋଜନାରେ ହୋଇଥିବା ଘୋଟାଲା ସମ୍ପର୍କରେ ଏକ ତଦନ୍ତ ହେବା ଆବଶ୍ୟକ ।

Related Posts