ମୁଁ ଜଣେ କାଶ୍ମୀରୀ, ମୁଁ କିଭଳି ବିଜେପିରେ ସାମିଲ ହୋଇପାରିବି ? : ଗୁଲାମ ନବୀ ଆଜାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ। ତେବେ ତାଙ୍କୁ ନେଇ ଚାଲୁଥିବା ଚର୍ଚ୍ଚା ଉପରେ ଏକ ବଡ ବୟାନ ଦେବା ସହ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଗୁଲାମନବୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ବିଜେପିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ । ବରଂ ନିଜେ ଦଳ ଗଢି ଜମ୍ମୁ-କାଶ୍ମୀରର ନିର୍ବାଚନକୁ ଓହ୍ଲାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଗୁଲାମନବୀ କହିଛନ୍ତି, ବିଜେପି ସହ ଗଠବନ୍ଧନକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର କୌଣସି ଆଧାର ନାହିଁ, ଏହା ସମ୍ପୂର୍ଣ୍ଣ ନିରାଧାର । ମୁଁ ଜଣେ କାଶ୍ମୀରୀ, ମୁଁ କିଭଳି ବିଜେପିରେ ସାମିଲ ହୋଇପାରିବି? ଏଭଳି ଚର୍ଚ୍ଚାକୁ ମୁଁ ଆଦୌ ପସନ୍ଦ କରେ ନାହିଁ । ମୁଁ କଲେଜ ସମୟରୁ ହିଁ କଂଗ୍ରେସ ଦଳ ସହ ରହି ଆସିଛି । ତେଣୁ ବର୍ତ୍ତମାନ ବିଜେପିରେ ସାମିଲ ହେବାର ପ୍ରଶ୍ନ ଉଠୁନି । ବରଂ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ନିଜର ଦଳ ଗଢିବି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କଂଗ୍ରେସରେ ଏବେ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ଏହାଛଡା ଦଳ ଏବେ ଭାରତ ଯୋଡ ବଦଳରେ କଂଗ୍ରେସ ଯୋଡ ଅଭିଯାନ ଆରମ୍ଭ କରିବା କଥା । ଆଗାମୀ ୧୯ ଅକ୍ଟୋବରରେ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବ । କିନ୍ତୁ ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରର ହିଁ କାଠ କଣ୍ଢେଇ ହେବ ବୋଲି ଗୁଲାମନବୀ କହିଛନ୍ତି । ଏହାପୂର୍ବରୁ ସେ ଦଳରୁ ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ । ଅନୁଭବହୀନ ଲୋକଙ୍କୁ ରାହୁଲ ନିଜ ପାଖରେ ରଖି ବରିଷ୍ଠ ନେତାଙ୍କୁ ସାଇଡଲାଇନ କରି ଦେଉଛନ୍ତି ବୋଲି ଗୁଲାମନବୀ କହିଥିଲେ ।

Related Posts