ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ। ମୁଁ ଆନ୍ଦୋଳନ ସହିତ ରହିଛି ।
ସେ ଆହୁରି କହିଛନ୍ତି ଯେ, ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ହତାଦର କରୁଛନ୍ତି । ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ ଭାବରେ ଦାୟୀ। ଆଗାମୀ ଦିନରେ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ତରଫରୁ ହାଇକୋର୍ଟ ବେଞ୍ଚ ପାଇଁ କୌଣସି କଂକ୍ରିଟ ପ୍ରସ୍ତାବ ଆସିନାହିଁ । ରାଜ୍ୟ ସରକାର କାହିଁକି ଏନେଇ କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦେଉନାହାନ୍ତି ? ରାଜ୍ୟ ସରକାର ଟାଳଟୁଳ ନୀତି କରୁଛନ୍ତି।ରାଜ୍ୟ ସରକାରଙ୍କ ଏନେଇ ଆନ୍ତରିକତା ନାହିଁ। ରାଜ୍ୟ ସରକାର ଖେଳିବାକୁ ଚାହୁଁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି।ପଶ୍ଚିମ ଓଡ଼ିଶାବାସୀଙ୍କ ସମସ୍ୟାଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଆନ୍ଦୋଳନ କରିବା ପାଇଁ ଗଣତାନ୍ତ୍ରିକ ଉପାୟରେ ସମସ୍ତଙ୍କର ଅଧିକାର ଅଛି। ସରକାର କହୁଛନ୍ତି ଡୋର ଷ୍ଟେପରେ ନ୍ୟାୟ ଦିଆଯିବ। ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଞ୍ଚ ଅଛି, ତାହେଲେ ଓଡ଼ିଶାରେ କାହିଁକି ହେବ ନାହିଁ। ଯଦି ଅଧିକ ବେଞ୍ଚ ହେବ, ହାଇକୋର୍ଟଙ୍କ ଉପରେ ବୋଝ କମିଯିବ। ଲୋକେ ତ୍ୱରିତ ନ୍ୟାୟ ପାଇବେ। ରାଜ୍ୟ ସରକାର ସ୍ଥାନ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।
