ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ଚାଲିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ସେମାନେ ଯାହା କହୁଛନ୍ତି ଅବନ୍ତର କଥା। ଝୁଣ୍ଟି ପଡ଼ିଲେ ସରକାର ଦାୟୀ କହିବା ଅବାନ୍ତର କଥା। ସୁପ୍ରିକୋର୍ଟଙ୍କ ନିର୍ଦେଶ କିପରି ଅନୁପାଳନ କରାଯିବ ସେ ନେଇ ନିର୍ଦ୍ଦେଶ ଅଛି। ବାକି କଣ ପ୍ରୋସେସ, ପଶ୍ଚିମାଞ୍ଚଳରେ କେଉଁଠି ହେବ ଓ ତାଙ୍କର ଅଧିବକ୍ତା ସଂଘ ଯାହା କହିବେ ସେ ଅନୁସାରେ ହେବ। ଖାଲି ବ୍ଲେମ୍ ଗେମ୍ କଲେ ହେବନି। ପଶ୍ଚିମ ଓଡ଼ିଶାରେ କେଉଁଠି ହେବ, ତାହା ସମସ୍ତେ ମିଶିକି ନିଷ୍ପତ୍ତି ନିଅନ୍ତୁ। ସରକାରଙ୍କ ଉପରେ ଦୋଷ ଲଦିବା ଠିକ୍ ନୁହେଁ, ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ, ସମ୍ବଲପୁରରେ ଚାଲିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ । ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ। କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି, ଓଡ଼ିଶା ସରକାରଙ୍କ ତରଫରୁ କୌଣସି କଂକ୍ରିଟ ପ୍ରସ୍ତାବ ଦେଇନାହାନ୍ତି। ରାଜ୍ୟ ସରକାର ଟାଳଟୁଳ ନୀତି କରୁଛନ୍ତି।ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ବିଧିବଦ୍ଧ ପ୍ରସ୍ତାବ ସରକାର କାହିଁକି ଆଣୁନାହାନ୍ତି। ରାଜ୍ୟ ସରକାର ଖେଳିବାକୁ ଚାହୁଁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି।ପଶ୍ଚିମ ଓଡ଼ିଶାବାସୀଙ୍କ ସମସ୍ୟାଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଆନ୍ଦୋଳନ କରିବା ପାଇଁ ଗଣତାନ୍ତ୍ରିକ ଉପାୟରେ ସମସ୍ତଙ୍କର ଅଧିକାର ଅଛି। ସରକାର କହୁଛନ୍ତି ଡୋର ଷ୍ଟେପରେ ନ୍ୟାୟ ଦିଆଯିବ। ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଞ୍ଚ ଅଛି, ତାହେଲେ ଓଡ଼ିଶାରେ କାହିଁକି ହେବ ନାହିଁ। ଯଦି ବେଞ୍ଚ ହେବ, ହାଇକୋର୍ଟଙ୍କ ଉପରେ ବୋଝ କମିଯିବ। ରାଜ୍ୟ ସରକାର ସ୍ଥାନ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।

ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ସମ୍ବଲପୁର ଓ ଭୁବନେଶ୍ୱରରେ ଗୋଟିଏ ଗୋଟିଏ ଲେଖାଏଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଉ। ୨ଟି ହାଇକୋର୍ଟ ବେଞ୍ଚ ହେଲେ ଓଡ଼ିଶା ଠିକ୍‌ରେ ଚାଲିବ। ବେଶୀ ଦିନ ଆନ୍ଦୋଳନ ନ କରି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଉ।