ମୁଁ ପ୍ରତିଦିନ ଗୋମୂତ୍ର ପିଉଛି ତେଣୁ ମୋତେ କରୋନା ହେଉନାହିଁ : ଵିଜେପି ଏମପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ବିବାଦରେ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ସାସଂଦଙ୍କ ବୟାନ ସମ୍ପୂର୍ଣ୍ଣ ଅବୈଜ୍ଞାନିକ। କରୋନା କାଳରେ ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ମନ୍ତବ୍ୟକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଉଥିବା ବେଳେ ନିଜ ଦଳର ସାଂସଦ ଏହାର ଓଲଟା କରୁଛନ୍ତି। ଭୋପାଳରେ ଏକ ପାର୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, ମୁଁ ପ୍ରତିଦିନ ଗୋମୂତ୍ର ପିଉଥିବାରୁ ମୋତେ କରୋନା ହୋଇନାହିଁ । ଏହା ଏକ ପ୍ରକାର ଏସିଡ୍ ଯାହା ମୋ ଶରୀରକୁ ଶୁଦ୍ଧ କରିଥାଏ। ତାଙ୍କ କହିବା ଅନୁସାରେ ଏହାକୁ ପିଇଵା ଦ୍ବାରା କୋଭିଡ କାରଣରୁ ହେଉଥିବା ଫୁସଫୁସ ସଂକ୍ରମଣକୁ ଭଲ କରିବ । ମୁଁ ପ୍ରତିଦିନ ଗୋମୂତ୍ର ପିଉଥିବାରୁ ବର୍ତ୍ତମାନ ମୋତେ କରୋନା ପାଇଁ କୌଣସି ଔଷଧ ଖାଇବାକୁ ପଡୁ ନାହିଁ, ମୋତେ କରୋନା ହୋଇ ନାହିଁ ଏବଂ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ପ୍ରଜ୍ଞା ଠାକୁର କହିଛନ୍ତି। ଏହା ପରେ ଗୋ ମୂତ୍ରକୁ କିପରି ପିଇବେ ତାହା ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ, “ ଗୋ ମୂତ୍ର ସ୍ବଦେଶୀ ପ୍ରଜାତିର ଗାଇର ହେବା ଆବଶ୍ୟକ । ଯିଏ କେବଳ ଜଙ୍ଗଲରୁ ଘାସ ଖାଇ ଥାଏ । ଏହାକୁ ପିଇବା ପୂର୍ବରୁ ଏକ ସୂତା କପଡା ବ୍ୟବହାର କରି ଅତି କମରେ 16 ଥର ଫିଲ୍ଟର କରାଯିବା ଉଚିତ୍। ” ବିବାଦ ବଢିବାରୁ ସେ କହିଛନ୍ତି ଯେ “ମୁଁ ଯାହା କରିଥିଲି ତାହା କହିଲି। ଏହା ମୋର ବିଶ୍ୱାସ ଏବଂ ମୁଁ ଏହାକୁ ଅନୁସରଣ କରିବାକୁ କାହାକୁ ବାଧ୍ୟ କରି ନାହିଁ। ” ବୋଲି ସାଂସଦ କହିଛନ୍ତି । ଏଭଳି ବିବାଦୀୟ ବୟାନ ତାଙ୍କ ପାଇଁ ପ୍ରଥମ ନୁହେଁ କାରଣ ୨୦୧୯ରେ ଗୋମୂତ୍ର ପିଇ ସେ ନିଜ ସ୍ତନ କର୍କଟ ରୋଗକୁ ଭଲ କରିଥିବା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | କିନ୍ତୁ ପରେ ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଥିବା ଡ଼ାକ୍ତର ତାଙ୍କ ଦାବିକୁ ମିଛ ବୋଲି କହିବା ସହ ଗୋମୂତ୍ର ନୁହେଁ ବରଂ ସର୍ଜରୀ ଦ୍ୱାରା ତାଙ୍କର କର୍କଟ ରୋଗ ଭଲ ହୋଇଥିଲା ବୋଲି କହିଥିଲେ। ସାଂସଦଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମୁଖପାତ୍ର ଜୟଭେର ଶେର୍ଗିଲ ସୋମବାର ଟୁଇଟ୍ କରି କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ଯେ ଶୀର୍ଷ ଭାଇରୋଲୋଜିଷ୍ଟ ସହିଦ ଜାମେଲ ସରକାରୀ କୋଭିଡ ପ୍ୟାନେଲ ଛାଡିଛନ୍ତି କାରଣ ବିଜେପି ବ୍ରିଗେଡ ବୈଜ୍ଞାନିକ ତଥ୍ୟ ଅପେକ୍ଷା କ୍ୱାକ ଫର୍ମୁଲା ଉପରେ ବିଶ୍ୱାସ କରେ।
ଅନେକ ଡାକ୍ତର କୋଭିଡ -19 କୁ ରୋକିବା ପାଇଁ ଗୋମୂତ୍ର ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି । ଯେ ଏହାର ଗୁଣ ଭାଇରାଲ ସଂକ୍ରମଣରୁ କୌଣସି ସୁରକ୍ଷା ଦେଇନଥାଏ ବୋଲି ଡାକ୍ତରମାନେ ସ୍ପଷ୍ଟ କଲା ପରେ ମଧ୍ୟ ଶାସକ ଦଳର ସାଂସଦ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଗୋ ମୂତ୍ର ପିଇବା ଦ୍ୱାରା କଳା ଫଙ୍ଗସ୍ କିମ୍ବା ମକର୍ମାଇକୋସିସ୍ ଭଳି ଅନ୍ୟ ସଂକ୍ରମଣର କାରଣ ହୋଇପାରେ, ଯାହା ସାଂଘାତିକ ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି।

Related Posts