“ମୁଁ ମୋର ସମଗ୍ର ଜୀବନ କଂଗ୍ରେସକୁ ଦେଇଥିଲି, ବଦଳରେ ଅପମାନିତ ହେଲି” : ଆନନ୍ଦ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶ କଂଗ୍ରେସର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଏକ ସାକ୍ଷାତକାରରେ ସେ ଦଳ ଛାଡିବାକୁ ଯୋଜନା କରୁଛନ୍ତି କି ବୋଲି ପଚରାଯିବାରୁ ଆନନ୍ଦ କହିଥିଲେ, “କେବେ ନୁହେଁ। ମୁଁ ଏହାକୁ ବହୁତ ସ୍ପଷ୍ଟ କରୁଛି ।କଂଗ୍ରେସରେ କେହି ନାହାଁନ୍ତି ଯିଏ ଗୁଲାମ ନବୀ ଆଜାଦ, ମୋତେ ଏବଂ ଅନ୍ୟ କିଛି ଙ୍କୁ ପ୍ରଶ୍ନ କରିପାରିବେ ନାହିଁ କାରଣ ଆମେ ଦଳକୁ ନିଜର ସମଗ୍ର ଜୀବନ ଦେଇଛୁ । ଷଡଯନ୍ତ୍ରକାରୀ ଲୋକମାନେ ଆମ ବିଷୟରେ ଏପରି ଅସ୍ପଷ୍ଟ ମନ୍ତବ୍ୟ ଦେଇପାରିବେ ନାହିଁ। “ବୋଲି କହିଛନ୍ତି ।

କଂଗ୍ରେସର ହିମାଚଳ ପ୍ରଦେଶ ୟୁନିଟର ପରିଚାଳନା କମିଟିରୁ ଇସ୍ତଫା ଦେଇଥିବା ଆନନ୍ଦ ଶର୍ମା ରବିବାର ଦିନ ଏକ ଚ୍ୟାନେଲ ସହିତ ଆଲୋଚନା କରୁଥିବା ବେଳେ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, “ମୁଁ ମୋର ସମଗ୍ର ଜୀବନ ଦଳକୁ ଦେଇଥିଲି, ତଥାପି ମୁଁ ଅପମାନିତ ହେଲି, ନିରାଶ ହେଲି। ପାର୍ଟି ପାଇଁ ମୁଁ ମୋର ପୁରା ଜୀବନ ଦେଲି , ତେଣୁ ମୋତେ ବଦନାମ କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ବହୁତ ଆଘାତ ଏବଂ ଅପମାନିତ ଅନୁଭବ କରୁଛି । ମୁଁ ଏଥିପାଇଁ ଦୁଃଖିତ।”

ଆନନ୍ଦ ଶର୍ମା ଆହୁରି ମଧ୍ୟ କହିଛନ୍ତି, “ଆମେ ଏହି କଂଗ୍ରେସ ଦଳର ନିର୍ମାତା। ଆମେ ଦଳର ସହ-ମାଲିକ, ଭିକାରୀ କିମ୍ବା ଦାସ ନୁହଁ , ଯେତେବେଳେ ଆମେ ଦଳୀୟ ସ୍ୱାର୍ଥ ସହିତ ଜଡିତ କିଛି ପ୍ରସଙ୍ଗ ଉଠାଇଥାଉ, ଆମକୁ କାହିଁକି ନିନ୍ଦା କରାଯାଉଛି? ” ଦଳର ଅନେକ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରୁଛନ୍ତି ।

Related Posts