“ରାମ ଆମର ପୂର୍ବଜ, ଯେଉଁମାନେ ଜୟ ଶ୍ରୀରାମ କୁହନ୍ତି ନାହିଁ ତାଙ୍କ ଡିଏନଏ ଉପରେ ମୋର ସନ୍ଦେହ ଅଛି” – ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ବଢୁଛି ବିବାଦ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ସବୁବେଳେ ନିଜର ବୟାନକୁ ନେଇ ହେଡଲାଇନରେ ରହିଥାନ୍ତି। ବର୍ତ୍ତମାନ ଏମିତି ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି।

ଯୋଗୀ ଆଦିତ୍ୟ ନାଥ କିଛି ଦିନ ପୂର୍ବରୁ ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ,” ଯେଉଁମାନେ ଜୟ ଶ୍ରୀରାମ କୁହନ୍ତି ନାହିଁ ସେମାନଙ୍କ ଡିଏନଏ ଉପରେ ମୋର ସନ୍ଦେହ ଅଛି। ” ଏହାକୁ ନେଇ କଡା ବିରୋଧ କରିଛି ସମାଜବାଦୀ ପାର୍ଟି। ସପା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏପରି ବିବାଦୀୟ ବୟାନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶା କରାଯାଇ ନପାରେ।

ସୂଚନାଯୋଗ୍ୟ ଯେ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗୀ କହିଥିଲେ ଯେ , ‘ମୁଁ ଭାବୁ ନାହିଁ ଯେ ଉତ୍ତରପ୍ରଦେଶ କିମ୍ବା ଦେଶର କୌଣସି ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ କହିବାରେ କୌଣସି ଅସୁବିଧା ହେବ ନାହିଁ। ରାମ ଆମର ପୂର୍ବଜ ଥିଲେ। ଆମେ ଏଥିପାଇଁ ଗର୍ବିତ ହେବା ଉଚିତ୍ । ଆଉ ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ସେମାନଙ୍କ DNA ଉପରେ ମୋର ଟିକିଏ ସନ୍ଦେହ ଅଛି। ‘

ସେ କହିଥିଲେ ଯେ ରାମ ଆମର ପୂର୍ବଜ ଥିଲେ। ମୁଁ ଏହା କହୁ ନାହିଁ ବରଂ ବିଶ୍ୱର ଅଧିକ ମୁସଲମାନ ଥିବା ଦେଶ ଇଣ୍ଡୋନେସିଆ ଏହାର ପୂର୍ବପୁରୁଷ ଭାବେ ରାମଙ୍କୁ ବିବେଚନା କରେ । ଇଣ୍ଡୋନେସିଆରେ ମୁସଲମାନମାନେ ରାମଲୀଳା ମଧ୍ୟ ଆୟୋଜନ କରନ୍ତି। ଆମେ ଏଥିପାଇଁ ଗର୍ବିତ ଅନୁଭବ କରିବା ଉଚିତ୍ ।

ଯଦି ଇଣ୍ଡୋନେସିଆ ଏଥିରେ ଗର୍ବ କରିପାରିବ ତେବେ ଆମେ କାହିଁକି କରିପାରିବୁ ନାହିଁ ବୋଲି ଯୋଗୀ ଆଦିତ୍ୟ ନାଥ ପ୍ରଶ୍ନ କରିଛନ୍ତି ।

ୟୁପିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଯୋଗୀ କହିଛନ୍ତି ଯେ ଗତ କିଛି ବର୍ଷ ହେବ ଏଠାରେ କୌଣସି ଦଙ୍ଗା ହୋଇ ନାହିଁ। ସେ ପ୍ରଶ୍ନ କରିଛନ୍ତି ଯେ ଯଦି ଦଙ୍ଗା ହୁଏ ତେବେ ହିନ୍ଦୁ ମରିବେ ଏବଂ ମୁସଲମାନ ସୁରକ୍ଷିତ ରହିବେ କି? ସମସ୍ତେ ଦଙ୍ଗାର ଶିକାର ହେବେ ଏବଂ ଯଦି ଗୋଟିଏ ବିଭାଗ ସୁରକ୍ଷିତ ତେବେ ଅନ୍ୟ ପକ୍ଷ ମଧ୍ୟ ଆପେଆପେ ସୁରକ୍ଷିତ ରହିବ।

Related Posts