ଅନ୍ୟଦଳରୁ ଆସି ବିଜେପିରେ କାଲି ଯୋଗଦେଇଥିବା ନେତାଙ୍କ ଅପେକ୍ଷା ୪୦ ବର୍ଷ ଧରି ବିଜେପିରେ ରହିଥିବା ନେତାଙ୍କ ପ୍ରତି ମୋର ସମ୍ମାନ ଅଧିକ ରହିଛି : ଜୟରାମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ୟୁପିର ବ୍ରାହ୍ମଣ ନେତା ଜିତନ ପ୍ରସାଦଙ୍କୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। ଗତ ବର୍ଷ ସିନ୍ଧିଆ ଦଳ ଛାଡିବା ପରେ ଏବେ କଂଗ୍ରେସ ପାର୍ଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳବଦଳ ରାଜନୀତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ନିକଟରେ ଏକ ସାକ୍ଷାତକାରରେ ଏସବୁର କାରଣ କହିଛନ୍ତି। ନେତାମାନେ କଂଗ୍ରେସ ଦଳ ଛାଡୁଥିବା ପ୍ରଶ୍ନର ଉତ୍ତରରେ ସେ ଏକ ଉଦାହରଣ ଦେଇ କହିଛନ୍ତି , ”  ବହୁ ବର୍ଷ ପୂର୍ବେ, ମୋର ଜଣେ ଆମେରିକୀୟ ବନ୍ଧୁ ମୋତେ କହିଥିଲେ, ଜୟରାମ, ତୁମେ ଭାରତୀୟମାନେ ବହୁତ ଅଜବ ଲୋକ। ଯେତେବେଳେ ଆମେ (ଆମେରିକୀୟ) ଏକ ରାଜନୈତିକ ଦଳରେ ଯୋଗଦେଉ, ସେତେବେଳେ ଆମେ ସେହି ଦଳ ପ୍ରତି ବିଶ୍ୱସ୍ତ ରହିଥାଉ। କିନ୍ତୁ ଯେତେବେଳେ ଆମେ ବିବାହ କରୁ, ଛାଡପତ୍ର ଦେବା ପାଇଁ କୌଣସି ସର୍ତ୍ତ ରଖି ନଥାଉ । କିନ୍ତୁ ଭାରତରେ, ଏହାର ଓଲଟା ଯେତେବେଳେ ଭାରତୀୟ ମାନେ ବିବାହ କରନ୍ତି ସେତେବେଳେ ଛାଡପତ୍ର ନଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି , କିନ୍ତୁ ଯେତେବେଳେ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି, ସେତେବେଳେ ଅନ୍ୟ ରାଜନୈତିକ ଦଳରେ ଯୋଗଦେବାକୁ ଚିନ୍ତା କରିପାରନ୍ତି । ତେଣୁ ଜିତିନ କଂଗ୍ରେସ ଛାଡିବା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିଛନ୍ତି। କିନ୍ତୁ ପ୍ରତ୍ୟେକ ଜିତିନ ପ୍ରସାଦ, ଜ୍ୟୋତିରାଦିତ୍ୟ ସନ୍ଧିଆ ଦଳ ଛାଡିବା ଦ୍ବାରା କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ଦଳରେ ଶହ ଶହ ଯୁବକ ଅଛନ୍ତି, ଯେଉଁମାନେ ଦଳକୁ ମଜବୁତ୍ କରିବାକୁ ଦିନରାତି କାମ କରୁଛନ୍ତି। ଉଭୟ ସିନ୍ଧିଆ ଏବଂ ପ୍ରସାଦଙ୍କୁ କଂଗ୍ରେସ ଦଳ ଖୁବ୍ କମ୍ ବୟସରେ ସବୁକିଛି ଦେଇଥିଲା, କିନ୍ତୁ ସେମାନେ ଦଳ ଛାଡି ବିଜେପିରେ ସାମିଲ୍ ହୋଇଗଲେ। କଂଗ୍ରେସ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ ସ୍ବୀକାର କରିଛନ୍ତି। ଏହା ନିଶ୍ଚିତ ଯେ କଂଗ୍ରେସ ଏକ ବିଶାଳକାୟ ହାତୀ ସଦୃଶ ।  କଂଗ୍ରେସ ପାର୍ଟି ବହୁତ ବଡ ପାର୍ଟି, ଏହା ଧୀରେ ଧୀରେ ଗତି କରିଥାଏ କିନ୍ତୁ ଥରୁଟିଏ ଆଗକୁ ବଢିବା ଆରମ୍ଭ କଲେ ଦ୍ରୁତ ଗତିରେ ଆଗକୁ ବଢିଥାଏ କିନ୍ତୁ ସବୁବେଳେ ହାତୀ ହେବା ଯଥେଷ୍ଟ ନୁହେଁ , ବେଳେବେଳେ ଆମକୁ ଏକ କୋକିଶିଆଳି ଭଳି ଚତୁର ହେବାକୁ ପଡିଥାଏ କାରଣ ଭାରତ ଏବେ ବଦଳି ଯାଇଛି , ଏହାର ଆଶା ଓ ଆକାଂକ୍ଷା ବଦଳି ଯାଇଛି ।  ଦଳବଦଳ କରୁଥିବା ନେତାଙ୍କ ଉଦ୍ଦେଶ୍ୟରେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ଦଳ ବଦଳ କରିବା କୌଣସି ICICI କିମ୍ବା HDFC ବ୍ୟାଙ୍କରେ ଯୋଗଦେବା ଭଳି ନୁହେଁ। ରାଜନୈତିକ ଦଳ କୌଣସି ଚାକିରୀ ନୁହେଁ। ଦଳର ଏକ ଆଦର୍ଶ ଏବଂ ବିଚାରଧାରା ଥାଏ ।ଏହାର ଆଧାରରେ ଦଳରେ ନେତା ଏବଂ କର୍ମୀ ମାନେ କାରିଥାନ୍ତି। କିନ୍ତୁ କିଛି ନେତା ଦଳର ନିତୀ ଆଦର୍ଶ ଓ ବିଚାରଧାରାକୁ ଭୁଲି ଦଳବଦଳ କରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ସେ କହିଛନ୍ତି। ତେଣୁ ଅନ୍ୟଦଳରୁ ଆସି ବିଜେପିରେ ଯୋଗଦେଉଥିବା ନେତାଙ୍କ ଅପେକ୍ଷା ୪୦ ବର୍ଷ ଧରି ବିଜେପିରେ ରହିଥିବା ନେତାଙ୍କ ପ୍ରତି ତାଙ୍କର ଅଧିକ ସମ୍ମାନ ରହିଛି ବୋଲି ସେ କହିଛନ୍ତି।

Related Posts