ଭାରତର ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ସଠିକ୍ ସଂଖ୍ୟା ଠାରୁ ବହୁତ କମ୍ : ଓୱାଇସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର କରୋନା ମୃତ୍ୟୁର ପ୍ରକୃତ ତଥ୍ୟ ଲୁଚାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ନେଇ ବିରୋଧୀ ଲଗାତର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱାଇସି ଅଭିଯୋଗ କରିଛନ୍ତି ଯେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସରକାରଙ୍କ ସଂଖ୍ୟା ଠାରୁ ବହୁ ଅଧିକ। ସେ କହିଛନ୍ତି ଯେ ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କର ମୃତ୍ୟୁ ରେକର୍ଡ କରାଯିବା ଆବଶ୍ୟକ। କରୋନା ମୃତ୍ୟୁ ସମ୍ପର୍କିତ ଏକ ରିପୋର୍ଟ ସେୟାର କରି ସେ ଟ୍ବିଟ୍ କରି କହିଛନ୍ତି, ଭାରତରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତ ମୃତ୍ୟୁ ସଂଖ୍ୟା ଠାରୁ ବହୁତ ଅଧିକ। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କେତେ ଦିନ ପର୍ଯ୍ୟନ୍ତ ସରକାର ନିଜକୁ ପ୍ରଶାଂସ କରିବାକୁ ଯାଇ ପ୍ରକୃତ ତଥ୍ୟ ଲୁଚାଉଥିବେ।

ସେ ଏକ ନ୍ଯୁଜ୍ ଆର୍ଟିକିଲ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଭାରତର କୋଭିଡ -19 ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ଯ ଠାରୁ ବହୁ ଅଧିକ। କରୋନା ମୃତ୍ୟୁ ତଥ୍ୟ ଲୁଚାଉଥିବା ନେଇ ସେ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତା ମାନେ ମଧ୍ୟ ଅଭିଯୋଗ କରିଥିଲେ ଯେ ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି।ଗତ କିଛିଦିନ ତଳେ ବିହାର ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇଥିବା ଜଣାପଡିଥିଲା। ଏହା ପରେ ଅନେକ ବିଶେଷଜ୍ଞ ଏବଂ ମାଡ୍ରାସ ହାଇକୋର୍ଟ ଏ ନେଇ ଉଦବେଗ ପ୍ରକାଶ କରିଥିଲେ। ସେହିପରି ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ଯଦି ପ୍ରକୃତ ମୃତ୍ୟୁ ତଥ୍ୟ ରେକର୍ଡ କରାନଯାଏ ତେବେ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବା କଷ୍ଟକର ହେବ। ସେ ଏଥିପାଇଁ ରାଜ୍ୟ ସରକାର ଏବଂ ଡାକ୍ତରଖାନା ମାନଙ୍କୁ କରୋନା ମୃତ୍ୟୁ ସଂଖ୍ୟା ଅଡିଟ୍ କରିବାକୁ ପରାମର୍ଶ ଦେଇଥିଲେ।

Related Posts