‘ଦେଶ ବିରୋଧୀ କୌଣସି ମନ୍ତବ୍ୟ ଦେଇ ନାହିଁ, କହିବାକୁ ସୁଯୋଗ ଦେଲେ ଲୋକସଭାରେ ଜବାବ ରଖିବି’: ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରିଟେନ୍‌ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦରେ ବିଜେପି ସାଂସଦ ମାନେ ରାହୁଲ ଗାନ୍ଧୀଙ୍କ ଠାରୁ କ୍ଷମା ଦାବି କରୁଥିବା ବେଳେ ଏହାର ଜବାବ ଦେବାକୁ ରାହୁଲଙ୍କୁ ସୁଯୋଗ ଦିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଥମେ ସଂସଦରେ ତାଙ୍କୁ ଉତ୍ତର ଦେବାକୁ ଅନୁମତି ଦିଆଯାଉ ତା ପରେ ସେ ମିଡିଆକୁ ଏ ବିଷୟରେ ସୂଚନା ଦେବି ବୋଲି ରାହୁଲ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି।

ରାହୁଲଙ୍କ ଅଭିଯୋଗ ଅନୁସାରେ, ଆଜି ସେ ସଦନକୁ ଯିବାର ଗୋଟିଏ ମିନିଟ୍ ପରେ ଗୃହ ମୁଲତବୀ କରାଯାଇଥିଲା। ଫଳରେ ସେ ବିଜେପି ନେତାମାନଙ୍କୁ ଜବାବ ଦେଇପାରି ନଥିଲେ। ତାଙ୍କୁ ଜବାବ ଦେବାକୁ ଅନୁମତି ମିଳିଲେ ଯାଇ ଏହାର ଜବାବ ଦେବେ ବୋଲି ରାହୁଲ କହିଛନ୍ତି।

ସେ କହିଛନ୍ତି ‘ସଦନରେ ମୁଁ କେମିତି ଅନୁଭବ କରୁଛି ସେ ବିଷୟରେ କହିବାକୁ ଆଜି ସକାଳେ ମୁଁ ସଂସଦ ଯାଇଥିଲି। ଗୃହରେ ମୋତେ କହିବାକୁ ଅନୁମତି ଦେବା ମୋର ଅଧିକାର। ତେଣୁ ମୋତେ କହିବାକୁ ସୁଯୋଗ ଦେବା ପାଇଁ ଲୋକସଭା ଅଧ୍ୟକ୍ଷକଙ୍କୁ ମୁଁ ଅନୁରୋଧ କରିଥିଲି। ହେଲେ ମୋତେ ଅନୁମତି ମିଳି ନଥିଲା ବୋଲି ରାହୁଲ କହିଛନ୍ତି।

ସେପଟେ ବିଜେପି କ୍ଷମା ଦାବି କରୁଛି। ଏନେଇ କଣ କହିବେ ବୋଲି ରାହୁଲଙ୍କୁ ପାଚାରିବାରୁ ସେ କହିଛନ୍ତି ‘ମୁଁ ଦେଶ ବିରୋଧୀ କୌଣସି ମନ୍ତବ୍ୟ ଦେଇ ନାହିଁ। ଯଦି ସେମାନେ ମୋତେ କହିବାକୁ ଅନୁମତି ଦେବେ ମୁଁ ସଂସଦରେ ମୋ କଥା ରଖିବି।’

ସୂଚନାଯୋଗ୍ୟ ଯେ, ବ୍ରିଟେନ୍‌ରେ ରାହୁଲଙ୍କର ଭାଷଣକୁ ନେଇ ଗୃହର ଉଭୟ ସଦନରେ ହଙ୍ଗାମା ହୋଇଥିଲା। ବିଜେପି-ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ରାହୁଲଙ୍କ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରୁଥିବା ବେଳେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ଆଦାନୀ-ହିଣ୍ଡନବର୍ଗ ମାମଲାର ତଦନ୍ତ କରାଯାଉ ବୋଲି କଂଗ୍ରେସ କହିଛି।

Related Posts