ମୁଁ କିଛି ନିୟମ ଉଲ୍ଲଘଂନ କରିନି, ଜିଲ୍ଲାପାଳ ଯାହା ରିପୋର୍ଟ ମାଗିବେ ମୁଁ ଦେବି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଯାଜପୁର ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । ତେବେ ପ୍ରଚାର ବେଳେ ସେ ଆଚରଣ ବିଧି ଉଲ୍ଲଘାଂନ କରିଥିବାରୁ ତାଙ୍କୁ ଏହି ନୋଟିସ ପଠାଯାଇଥିବାର ସୂଚନା ମିଳିଛି । ଏହା ମଧ୍ୟରେ ପ୍ରମିଳା ମଲ୍ଲିକ ଏନେଇ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି, ମୁଁ କିଛି ଆଚରଣ ବିଧି ଉଲ୍ଲଘଂନ କରିନି, ମୁଁ ପ୍ରଚାର କରିଛି । ଜିଲ୍ଲାପାଳ ଯାହା ରିପୋର୍ଟ ମାଗିଛନ୍ତି ଦେବି ବୋଲି କହିଛନ୍ତି । ଅନ୍ୟପଟେ ବିଂଝାରପୁର ବ୍ଲକ୍ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ୍ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ । ଏହା ପରେ ଓଡ଼ିଶାରେ ରାଜନୀତି ଚଳଚଞ୍ଚଳ ହୋଇଉଠିଥିଲା ।

Related Posts