(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ରାଜ୍ୟପାଳ ଏବଂ ଟିଏମସି ମଧ୍ୟରେ ବିବାଦ ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟପାଳ ଜଗଦୀପ ଧନକଡଙ୍କ ଦିଲ୍ଲୀ ଗସ୍ତକୁ ନେଇ ଟିଏମସି ନେତା ମାନେ ବିରୋଧ କରୁଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ରାଜ୍ୟରୁ ହଟାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତିନିଥର ଚିଠି ଲେଖିଛନ୍ତି। ଧନକଡଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ବୋଲି କହିଛନ୍ତି। ରାଜ୍ୟପାଳଙ୍କ ନିର୍ବାଚନ ପରବର୍ତ୍ତୀ ହିଂସା ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ ଗୋଟେ ଶିଶୁକୁ ଚୁପ୍ କରାଯାଇପାରେ। ତେଣୁ ଏହି ମାମଲାରେ ନୀରବ ରହିବା ସବୁଠାରୁ ଭଲ। ” ତେବେ ରାଜ୍ୟପାଳ ପରିବର୍ତ୍ତନକୁ ନେଇ ସେ କହିଛନ୍ତି ଯେ ତାଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ସେ କହିଛନ୍ତି, “ମୁଁ ଏ ସମ୍ପର୍କରେ କେମିତି ଜାଣିବି ? ଯେତେବେଳେ ଜଣେ ରାଜ୍ୟପାଳ ନିଯୁକ୍ତ ହୁଅନ୍ତି, ସେତେବେଳେ ରାଜ୍ୟ ସରକାରଙ୍କ ପରାମର୍ଶ ନିଆଯାଇଥାଏ । କିନ୍ତୁ ଏ କ୍ଷେତ୍ରରେ ସମେତି କିଛି କରାଯାଇ ନାହିଁ ବୋଲି ସେ କହିଛନ୍ତି। ” ରାଜ୍ୟପାଳ ପରିବର୍ତ୍ତନ ସମ୍ପର୍କରେ ଯେତେବେଳ ଯେତେବେଳେ ତାଙ୍କ ମତାମତ ପଚାରାଯାଇଥିଲା, ମୁଖ୍ୟମନ୍ତ୍ରୀ କହିଥିଲେ ଯେ , “ମୁଁ ଆପଣଙ୍କୁ କାହିଁକି ଏ ବିଷୟରେ କହିବି ? ରାଜ୍ୟପାଳଙ୍କୁ ହଟାଇବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ୩ ଥର ଚିଠି ଲେଖିଛି। ଏହାପୂର୍ବରୁ ମଧ୍ୟ ଟିଏମସିର ଅନେକ ସାସଂଦ ରାଜ୍ୟପାଳଙ୍କୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଚିଠି ଲେଖିଥିଲେ। ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ସେ କହିଛନ୍ତି, ଟ୍ୱିଟରକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ପରେ ଏବେ ଏହାକୁ ପ୍ରଭାବହୀନ କରିବାକୁ ସରକାର ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ତାଙ୍କ(ଟିଏମସି) ସରକାରକୁ ମଧ୍ୟ ସମାନ ବ୍ୟବହାର କରୁଛି। କିନ୍ତୁ ସେମାନେ ଆମକୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟପାଳ ଜଗଦୀପ ଧନକଡ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି।
