ଯୋଗ ଦିବସରେ ସମସ୍ତ ସାସଂଦଙ୍କୁ ସମ୍ବୋଧନ କରିବେ ପ୍ରଜ୍ଞା ଠାକୁର, କଂଗ୍ରେସ ନେତାଙ୍କ ପ୍ରଶ୍ନ, ” ପିଏମ ମୋଦୀ କଣ ତାଙ୍କ ବିଚାର ବଦଳାଇ ଦେଲେ ?”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଜେପି ସାସଂଦ ପ୍ରଜ୍ଞା ସିଂ ଠାକୁର ସମସ୍ତ ସାସଂଦ ମାନଙ୍କୁ ସମ୍ବୋଧିତ କରିବେ। ତେବେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କାରଣ ଅଧିକାଂଶ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦଙ୍କୁ ଯୋଗ ଦିବସ ଅବସରରେ ସମ୍ବୋଧନ ଦେବାକୁ ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି ଯେ,” ପ୍ରଜ୍ଞା ଠାକୁରଙ୍କୁ ନେଇ ‘ପ୍ରଧାନମନ୍ତ୍ରୀ ମୋଦୀ କଣ ତାଙ୍କର ବିଚାର ବଦଳାଇ ଦେଇଛନ୍ତି ?” ଆନ୍ତର୍ଜାତୀୟ ଯୋଗ ଦିବସରେ ଅର୍ଥାତ୍ ଜୁନ୍ 21 ରେ ଲୋକସଭା ସଚିବାଳୟରେ ଅନଲାଇନ୍ ଯୋଗ କ୍ଲାସ୍ ର ଆୟୋଜନ କରାଯାଇଛି। ଏଥିରେ ସମସ୍ତ ସାଂସଦଙ୍କୁ ବିଜେପି ସାସଂଦ ପ୍ରଜ୍ଞା ଠାକୁର ସମ୍ବୋଧିତ କରିବାକୁ ନିମନ୍ତ୍ରଣ କରାଯାଇଛି। ସେ ‘ଯୋଗ ଜୀବନର ମାର୍ଗ’ ପ୍ରସଙ୍ଗରେ ସାଂସଦମାନଙ୍କୁ ସମ୍ବୋଧିତ କରିବେ। ଲୋକସଭା ସଚିବାଳୟ ଗୁରୁବାର ଦିନ ଏ ସମ୍ପର୍କରେ ସମସ୍ତ ସାଂସଦଙ୍କୁ ଅବଗତ କରାଇଛି। କିନ୍ତୁ ଏହାକୁ ନେଇ କଂଗ୍ରେସ ଆପତ୍ତି ଜଣାଇଛି।

କଂଗ୍ରେସ ନେତା ମାଣିକମ୍ ଟାଗୋର ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି ଯେ, ” ପ୍ରଜ୍ଞା ଠାକୁରଙ୍କୁ ନେଇ ପ୍ରଧାନମନ୍ତ୍ରୀ କଣ ତାଙ୍କର ମତ ପରିବର୍ତ୍ତନ କରି ଦେଇଛନ୍ତି। କାରଣ ସେହି ଦିନ (ଆନ୍ତର୍ଜାତୀୟ ଯୋଗ ଦିବସ) କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରିୟ ପ୍ରସଙ୍ଗ ଉପରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଛି । ପ୍ରଜ୍ଞା ସିଂ ଠାକୁରଙ୍କୁ ସେ କଣ ତାଙ୍କ ମନରୁ କ୍ଷମା କରିଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ” ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁର ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିଥିଲେ। ଏହି ବୟାନକୁ ନେଇ ବିବାଦ ବଢିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ପ୍ରଜ୍ଞା ଠାକୁରଙ୍କୁ କ୍ଷମା କରି ପାରିବେ ନାହିଁ। ଏହି ବିବାଦ ପରେ ତାଙ୍କୁ ପ୍ରତିରକ୍ଷା ବ୍ୟାପାର ସଂସଦୀୟ କମିଟିରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କୁ ବିଜେପି ସଂସଦୀୟ ଦଳର ବୈଠକକୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିଲା। ସୂଚନାଯୋଗ୍ୟ ଯେ, ମାଲେଗାଓଁ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା ଠାକୁର ଏବଂ ସ୍ୱାସ୍ଥ୍ୟଗତ କାରଣରୁ ସେ ଜାମିନରେ ଅଛନ୍ତି।

Related Posts