‘ମୋର ଜଣେ ବରିଷ୍ଠ ସହଯୋଗୀଙ୍କୁ ହରାଇଲି’; ବିଷ୍ଣୁ ସେଠୀଙ୍କ ଦେହାନ୍ତ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଧାମନଗରର ବିଧାୟକ ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ମୁଁ ମୋର ଜଣେ ବରିଷ୍ଠ ସହଯୋଗୀଙ୍କୁ ହରାଇଛି ।ଅନେକ ସମୟରେ ବିଧାନସଭାରେ ତାଙ୍କ ସହ ତୁ ତୁ ମେଁ ମେଁ ହୋଇଛି । ରାଜନୈତିକ କ୍ଷେତ୍ରରେ ଆମେ ବିରୋଧୀ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଆମ ସଂପର୍କ ଖୁବ ଭଲ ।ବ୍ୟକ୍ତିଗତ ବନ୍ଧୁତା ଖୁବ ନିବିଡ । ରାଜ୍ୟ ଜଣେ ବରିଷ୍ଠ ନେତାକୁ ହରାଇଲା । ବିଧାନସଭା ପାଇଁ ଏହା ଏକ ବଡ଼ କ୍ଷତି । ପ୍ରଶ୍ନ ମାଡ଼ରେ ଶାସକ ଦଳକୁ ଅଡ଼ୁଆରେ ପକାଇବା ବିଷ୍ଣୁସେଠୀଙ୍କୁ ଖୁବ ଭଲ ଭାବରେ ଜଣାଥିଲା । କିଛି ଦିନ ତଳେ ସେ ନିର୍ଭିକ ଭାବରେ କହିଥିଲେ ଯେ, ବିଧାନସଭାକୁ ଆଉ ଯିବାକୁ ମୋର ଆନ୍ତରିକ ଇଛା ହେଉନାହିଁ ।ବିଧାନସଭାକୁ ମୁଁ କେବଳ ଯାଉଛି ନରସିଂହ ମିଶ୍ରଙ୍କ ପାଇଁ । କାରଣ ମୁଁ ତାଙ୍କଠାରୁ କିଛି ଶିଖିବାକୁ ଯାଉଛି । ଏକଥାକୁ ନେଇ ମୁଁ ଖୁବ ଖୁସି ହୋଇଥିଲି କାରଣ ତାଙ୍କର ଶିଖିବାର ଇଛା ଓ ଆଶା ଶେଷ ପର୍ଯ୍ୟନ୍ତ ରହିଥିଲା। ତାଙ୍କ ମୃତ୍ୟୁରେ ମୁଁ ତାଙ୍କ ପରିବାରକୁ ସମବେଦନା ଜଣାଉଛି ଓ ତାଙ୍କ ଆତ୍ମାର ସଦଗଦି କାମନା କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ପ୍ରାୟ ୧ ମାସ ହେବ ସେ ଆଇସିୟୁରେ ଭର୍ତ୍ତିଥିଲେ। ଆଜି ଭୋରୁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।​ ବିଷ୍ଣୁ ସେଠୀ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ଉପ ନେତା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ଖେଳିଯାଇଛି । ଶେଷକୃତ୍ୟ ପାଇଁ ତାଙ୍କ ମର ଶରୀରକୁ ଜନ୍ମମାଟି ଧାମନଗର ନିଆଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ବିଧାନସଭାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

Related Posts