‘ଚାହୁଁଥିଲି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହୁଅନ୍ତୁ, ସେ ମନା କରିବାରୁ ମୁଁ ମଇଦାନକୁ ଓହ୍ଲାଇଲି’: କେ.ଏନ୍ ତ୍ରିପାଠୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଶୁକ୍ରବାର ଦିନ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ ଏସବୁ ବ୍ୟତୀତ ଖବରରେ ଆଉ ଏକ ନାମ ରହିଛି । ଦଳର ସର୍ବୋଚ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅନ୍ୟଜଣେ ନେତା ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ। ସେ ପୂର୍ବରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି।

ଗତକାଲି ଏକ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା କରି କେ.ଏନ୍ ତ୍ରିପାଠୀ ନିଜ ନାମାଙ୍କନ ନେଇ କହିଛନ୍ତି ଯେ, ମୁଁ ଚାହୁଁଥିଲି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ଓ ଦଳର ଅଧ୍ୟକ୍ଷ ହୁଅନ୍ତୁ। କିନ୍ତୁ ସେ ଅଧ୍ୟକ୍ଷ ହେବାପାଇଁ ମନା କରିଦେଲେ । ଯେହେତୁ ଦଳର କେହିବି ନେତା ନିର୍ବାଚନ ଲଢି ପାରିବେ ବୋଲି ଘୋଷଣା ହୋଇଛି ତେଣୁ ମୁଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଲି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ନାମାଙ୍କନ ଦାଖଲ କରିଛି। ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ମାନେ ଦଳ ପାଇଁ କଣ କରିବେ ସେନେଇ ନିଜ ନିଜ ମତ ରଖିବେ। ତେବେ ଦଳକୁ ଏକଜୁଟ କରି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ମୋର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

Related Posts