“ମୁଁ ଅନ୍ତବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲି”; ହେମନ୍ତ ସୋରେନଙ୍କ ଭାଇଙ୍କ ଅଜବ ବୟାନ, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ଝାଡଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଦିଲ୍ଲୀ ଯାଇଥିବା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ବସନ୍ତ ସୋରେନ ଏକ ଅଜବ ବୟାନ ଦେଇଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦିଲ୍ଲୀଗସ୍ତ ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ନିଜ ପାଇଁ ଅନ୍ତବସ୍ତ୍ର କିଣିବାକୁ ସେ ଦିଲ୍ଲୀ ଯାଇଥିଲେ ବୋଲି ସେ କହିଛନ୍ତି। ରାଜ୍ୟରେ ରାଜନୈତିକ ସଙ୍କଟ ଭିତରେ ଆପଣ ଆପଣ କାହିଁକି ଦିଲ୍ଲୀ ଯାଇଥିଲେ ପ୍ରଶ୍ନର ଅଜବ ଢଙ୍ଗରେ ଉତ୍ତର ରଖିଛନ୍ତି ବସନ୍ତ ସରେନ। ଏହାର ଜବାବରେ ସେ କହିଛନ୍ତି, “ବାସ୍ତବରେ ମୋର ଅନ୍ତବସ୍ତ୍ର ନଥିଲା, ତେଣୁ ସେସବୁ ଆଣିବା ପାଇଁ ମୁଁ ଦିଲ୍ଲୀ ଯାଇଥିଲି। ରାଜ୍ୟରେ ଟିକିଏ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା କିନ୍ତୁ ବର୍ତ୍ତମାନ ସବୁକିଛି ଠିକ ଅଛି।” ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବସନ୍ତ ସୋରେନ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ଏବଂ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ସାନ ପୁଅ । ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇଟି ପୃଥକ ଘଟଣାରେ ଦୁଇ ନାବାଳିକାଙ୍କ ହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଘଟଣା ପରେ ବସନ୍ତ ସୋରେନ ପୀଡ଼ିତା ପରିବାରକୁ ନ ଭେଟିବାକୁ ନେଇ ବିରୋଧୀ ମନେ ତାଙ୍କୁ ଟାର୍ଗେଟ କରିଥିଲେ। ତେବେ ଏହାପରେ ବୁଧବାର ସେ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ । ସେ ଉଭୟ ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ବସନ୍ତ ସୋରେନ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ପୀଡିତାଙ୍କ ବଡ ଭଉଣୀକୁ ବାୟୋ-ଡାଟା ଦାଖଲ କରି ଚାକିରି ଦେବାକୁ ଆଶ୍ୱସନା ଦେଇଛନ୍ତି । ଅନ୍ୟପକ୍ଷରେ, ଦ୍ୱିତୀୟ ଘଟଣାରେ ଯେଉଁଥିରେ ଜଣେ ଆଦିବାସୀ ଝିଅକୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିଲା, ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ । ତେବେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଏଭଳି ଅଜବ ଉତ୍ତର ଦେଇଥିଲେ ବସନ୍ତ। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ବସନ୍ତ ସୋରେନଙ୍କ ବିବୃତ୍ତି ଭାଇରାଲ ହେବା ପରେ ବିଜେପି ତାଙ୍କୁ ଟାର୍ଗେଟ୍ କରିଛି । ବିଜେପି ବିଧାୟକ ଭାନୁ ପ୍ରତାପ ଶାହି ଏକ ଟ୍ୱିଟ୍ ରେ କହିଛନ୍ତି ଯେ ଯେତେବେଳେ ଦୁମକାର ଆଦିବାସୀ ଝିଅ ଏବଂ ଭଉଣୀଙ୍କୁ ହତ୍ୟା କରାଯାଉଛି, ସେଠାରେ ଥିବା ବିଧାୟକ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରିୟ ଭାଇ ବାସନ୍ତ ସୋରେନ ସେହି ପରିବାରମାନଙ୍କୁ ଭେଟିବା ପରିବର୍ତ୍ତେ ଦିଲ୍ଲୀରେ ଅନ୍ତବସ୍ତ୍ର କିଣିବାରେ ବ୍ୟସ୍ତ ଥିଲେ ।

Related Posts