ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ୪ ଦିନ ଅଣାୟତ୍ତ କରିବ ତାତି । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାରଠାରୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓ ଉପକୂଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

୧ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହୋଇପାରେ । ମଙ୍ଗଳବାର ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । ରାତି ବେଳା ବି ତାତି ଅଧିକ ରହିବ । ଏହି ୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଶିଶୁ, ବରିଷ୍ଠ ନାଗରିକ, ଅସୁସ୍ଥ ଓ ଗର୍ଭବତୀଙ୍କୁ ଖରାରେ ବାହାରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି ।

୨୯ ଯାଏ ପଶ୍ଚିମ ଓଡ଼ିଶାର ସବୁଠି ତାତି ୪୫-୪୬ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ସୋମବାର ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫.୯ ଡିଗ୍ରୀ ରେକର୍ଡ ହୋଇଥିଲା । ୯ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ ୪୫.୫, ଝାରସୁଗୁଡ଼ାରେ ୪୪.୪, ବଲାଙ୍ଗୀରରେ ୪୪.୨, ନୂଆପଡ଼ା ଓ ଭବାନୀପାଟଣାରେ ୪୪.୫, ସମ୍ବଲପୁର ଓ ବଲାଙ୍ଗୀରରେ ୪୪.୨, ହୀରାକୁଦରେ ୪୩.୨ ଓ ସୋନପୁରରେ ୪୩ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା କମ୍ ଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା ।