‘ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ କେବେ ବିଜେପି ସହ ମିଶିବି ନାହିଁ’: ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପୁଣି ବିଜେପିକୁ କଡା ଟାର୍ଗେଟ କରିଛନ୍ତି। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ କେବେ ବିଜେପି ସହ ମିଶିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାସହିତ ସେ ଆରଜେଡି ସହ ମେଣ୍ଟ ନେଇ କହିଛନ୍ତି ଯେ, ଆମେ ଉଭୟ ସମାଜବାଦୀ ବିଚାରଧାରା ଲୋକ, ଏକାଠି ରହି ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ବିହାର ସମସ୍ତିପୁରର ସରକାରୀ ଇଞ୍ଜିନିୟରିଂ କଲେଜ ଉଦ୍ଘାଟନ ଅବସରରେ ନୀତିଶ ବିଜେପିକୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆଜିର ବିଜେପି ନେତାମାନେ ନା କୌଣସି କଥା ଶୁଣୁଛନ୍ତି ନା କିଛି ବିକାଶ କରୁଛନ୍ତି। ପୂର୍ବରୁ ବିଜେପିରେ ଥିବା ଲୋକମାନେ କେତେ ପରିଶ୍ରମ କରିଥିଲେ। ଅଟଳ ଜୀ, ଆଡଭାନୀ ଜୀ, ଯୋଶୀ ଜୀ ଦଳକୁ କେତେ ପରିଶ୍ରମ କରି ଗଢିଥିଲେ। ସେମାନେ ପ୍ରକୃତ ନେତାମାନେ ଥିଲେ। ସେତେବେଳେ ଅନ୍ୟଦଳ ମାନଙ୍କୁ ଉଚିତ୍ ସମ୍ମାନ ମିଳିଥିଲା ହେଲେ ଏବେର ନେତା ମାନେ କାହା କଥା ଶୁଣୁ ନାହାନ୍ତି ବୋଲି ନୀତିଶ କହିଛନ୍ତି।

ଏହି ଅବସରରେ ନୀତିଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବିଷୟରେ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ନିଜ ଅଭିଭାଷଣରେ ସେ ଲାଲୁ ଯାଦବଙ୍କୁ କ୍ଲିନ ଚିଟ୍ ଦେଇ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଭୁଲ ଅଟେ। ଯେତେବେଳେ ମୁଁ ବିଜେପି ସହିତ ଥିଲି, ସେତେବେଳେ ଲାଲୁ ଯାଦବଙ୍କ ବିରୋଧରେ କୌଣସି ମାମଲା ଆସିନାହିଁ। ଯେବେ ଯେବେ ମୁଁ ଆରଜେଡି ସହିତ ମେଣ୍ଟ କରିଛି, ଲାଲୁଙ୍କ ନାମରେ ବିଭିନ୍ନ ଅଭିଯୋଗ ଅଣାଯାଇଛି ବୋଲି ସେ କହିଛନ୍ତି।

ତେବେ ନୀତିଶ କୁମାର ଏନଡିଏରୁ ଅଲଗା ହେବା ପରେ ବିଜେପିକୁ ଟାର୍ଗେଟ କରିବା ଏହା ପ୍ରଥମ ଘଟଣା ନୁହେଁ। ସେ ଲଗାତାର ଭାବରେ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି। ଏହାସହିତ ଆଗାମୀ ୨୦୨୪ ନିର୍ବାଚନରେ ବିଜେପି ବିରୋଧୀ ଦଳ ଗୁଡ଼ିକୁ ଏକଜୁଟ କରିବାକୁ ମଧ୍ୟ ସେ ପ୍ରୟାସ ଆରମ୍ଭ କରିଛନ୍ତି।ଏହି କ୍ରମରେ ସେ ନିକଟରେ ଏନସିପି ନେତା ଶରଦ ପାୱାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଭଳି ବିରୋଧୀ ନେତା ମାନଙ୍କୁ ଭେଟିଥିଲେ।

Related Posts