ପ୍ରଧାନମନ୍ତ୍ରୀଙ୍କୁ ବଡ଼ ପ୍ରତିଶ୍ରୁତି ଘୋଷଣା ଓ ଉଦଘାଟନ କରିବାକୁ ସମୟ ଦେବାକୁ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ : କଂଗ୍ରେସ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଘୋଷଣା ହୋଇଛି ତାରିଖ । ତେବେ କିନ୍ତୁ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରାଯାଇଛି ।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା ନ ହେବା ତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ସଂଖ୍ୟକ ବଡ଼ ପ୍ରତିଶ୍ରୁତି ଘୋଷଣା କରିବା ଓ ଉଦଘାଟନ କରିବାକୁ ସମୟ ଦେବାକୁ ଏପରି କରାଯାଇଛି ।

ଆଜି ହିମାଚଳ ପ୍ରଦେଶ ନିର୍ବାଚନ ତାରିଖ ଘୋଷଣା କରାଯାଇଥିବାବେଳେ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ୨୦୧୭ରେ ବି ଉଭୟ ରାଜ୍ୟର ନିର୍ବାଚନ ତାରିଖ ଅଲଗା ଅଲଗା ଦିନରେ ଘୋଷଣା କରାଯାଇଥିଲା । ସେତେବେଳେ ବି କଂଗ୍ରେସ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲା ।

ଗୁଜୁରାଟ ନିର୍ବାଚନ ତାରିଖ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଥିଲେ ଯେ, ଦୁଇ ବିଧାନସଭାର ମିଆଦ ମଧ୍ୟରେ ୪୦ ଦିନର ଫରକ ରହିଛି । ଆହୁରି ମଧ୍ୟ ହିମାଚଳ ପ୍ରଦେଶରେ ନିର୍ବାଚନ କରିବା ପୂର୍ବରୁ ପାଣିପାଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ । କାରଣ ଆଗକୁ ଶୀତ ଦିନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବରଫ ପଡ଼ିବାର ସମ୍ଭାବନା ରହିଛି । ଏଣୁ ଶୀତପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହେବ । ଏଥିପାଇଁ ସାରା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ରଖାଯାଇଛି ।

Related Posts