
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛିଦିନ ରହିଥିବାବେଳେ ୟୁପିରେ ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଜଣେ ବ୍ୟବସାୟୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଆତ୍ମହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ବାଗପତର ବଡୌତ କୋତୱାଲୀ ଅଞ୍ଚଳର ବାବଲି ରୋଡରେ ଥିବା ଏକ ଜୋତା ବ୍ୟବସାୟୀ ନିଜ ଦୋକାନରେ ଫେସବୁକରେ ଲାଇଭ ଆସି ତାଙ୍କ ପତ୍ନୀଙ୍କ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ତାଙ୍କ ପତ୍ନୀ ମଧ୍ୟ ବିଷ ପିଇଥିଲେ । ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ରହିଛି।ଋଣ ଭାର ସହି ନପାରି ସେ ଏଭଳି କରିଥିବା ଲାଇଭ ଭିଡିଓରେ କହିଛନ୍ତି।
ସେପଟେ ଫେସବୁକ ଲାଇଭ କରି ରାଜୀବ ତୋମାର କହିଥିଲେ ଯେ, “ମୁଁ ଭାବୁଛି ମୋର କହିବାର ସ୍ବାଧୀନତା ଅଛି। ମୁଁ ମୋର ଋଣ ପରିଶୋଧ କରିବି। ମୁଁ ମରିଗଲେ ମଧ୍ୟ ମୋର ବାକି ଥିବା ଋଣ ଦେବି। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଭିଡିଓକୁ ଯଥାସମ୍ଭବ ଭାଇରାଲ କରନ୍ତୁ। ମୁଁ ଦେଶଦ୍ରୋହୀ ନୁହେଁ। କିନ୍ତୁ ମୁଁ ମୋଦୀଜୀଙ୍କୁ କହିବାକୁ ଚାହେଁ ଯେ, ଆପଣ ଛୋଟ ବ୍ୟବସାୟୀ ଏବଂ କୃଷକଙ୍କ ଶୁଭେଚ୍ଛୁ ନୁହଁନ୍ତି। ମୋଦୀଜୀଙ୍କ ଜିଏସଟି ନିୟମ ମୋ ବ୍ୟବସାୟକୁ ଅଧିକ ପ୍ରଭାବିତ କରିଛି। ତେବେ ରାଜୀବଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ଟ୍ବିଟ କରିଛନ୍ତି ଯେ, ୟୁପିରେ ଆମେ ଛୋଟ ବ୍ୟବସାୟୀ ଓ ବ୍ୟବସାୟ ଉପରେ ପଡ଼ୁଥିବା ଖରାପ ପ୍ରଭାବ ଦେଖୁଛୁ। ବିମୁଦ୍ରୀକରଣ, ଜିଏସଟି ଏବଂ ଲକଡାଉନ୍ ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଛି।