ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଗାମୀ ବିଧାନସଭା ନିର୍ବାଚନରେ ନିଜ ସହ ଥିବା ସମସ୍ତ ବିଧାୟକ ଜିତିବା ନେଇ ଦ୍ରୁଢୋକ୍ତି ପ୍ରକାଶ କରିଛନ୍ତି। ସିନ୍ଦେ କହିଛନ୍ତି “ମୋ ସହ ଯୋଗଦେଇଥିବା ୫୦ ବିଧାୟକଙ୍କ ମଧ୍ୟରୁ ଯଦି ଜଣେ ବି ବିଧାୟକ ନିର୍ବାଚନରେ ହାରିବେ ତେବେ ମୁଁ ରାଜନୀତି ରୁ ସନ୍ୟାସ ନେଇଯିବି”। ତେବେ ଆଗାମୀ ବିଧାନସଭା ନିର୍ବାଚନ ରେ ବିଜେପି ଓ ତାଙ୍କ ନେତୃତ୍ଵାଧୀନ ଶିବସେନା ୨୦୦ରୁ ଅଧିକ ସିଟ ଜିତି ପୁଣି ସରକାରକୁ ଆସିବ ବୋଲି ସିନ୍ଦେ ଜୋର୍ ଦେଇ କହିଛନ୍ତି।

ଏହି ଅବସରରେ ସିନ୍ଦେ କହିଛନ୍ତି ଯେତେବେଳେ ଶିବସେନା ରେ ବିଦ୍ରୋହ ଆରମ୍ଭ ହେଲା ତାଙ୍କ ସହ ୩୦ ଜଣ ବିଧାୟକ ଥିଲେ। ଏହା ପରେ ଏହି ସଂଖ୍ୟା ୫୦ କୁ ବୃଦ୍ଧି ପାଇଥିଲା। ତେବେ ସମସ୍ତ ବିଧାୟକଙ୍କ ରାଜନୈତିକ ଭବିଷ୍ୟତ କୁ ସେ ସମୟରେ ସେ ଆଖି ଆଗକୁ ନେଇ ବିଜେପି ସହ ଯିବା ନିଷ୍ପତି ନେଇଛନ୍ତି। ଆମ ଭିତରୁ କୌଣସି ବି ବିଧାୟକ ଆଗାମୀ ନିର୍ବାଚନ ରେ ପରାଜୟ ର ସମ୍ମୁଖୀନ ହେବେ ନାହଁ ବୋଲି ସିନ୍ଦେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଏହି ବିଦ୍ରୋହ ସମୟ ରେ ଆମକୁ କିଛି ଲୋକ ବହୁ ଅପଶବ୍ଦ କହିଛନ୍ତି। ଏହାର ଜବାବ୍ ଜନତା ଆଗାମୀ ଦିନରେ ସେମାନଙ୍କୁ ଦେବେ। ଆମେ ବିଜେପି ସହ ଏକ ସ୍ଥିର ଓ ମଜବୁତ୍ ସରକାର ରେ ଅଛୁ ଆଗକୁ ରାଜ୍ୟର ସ୍ବାର୍ଥ ପାଇଁ ସମସ୍ତ ନିଷ୍ପତି ନେବୁ। ରାଜ୍ୟ ବାସୀଙ୍କର ସେବା କରି ଆଗାମୀ ଦିନରେ ପୁଣି ସରକାର ଗଠନ କରିବୁ ବୋଲି ସିନ୍ଦେ କହିଛନ୍ତି।