ବିହାରରେ ୧୦ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେଲେ ନୀତିଶଙ୍କ ସହ ମେଣ୍ଟ ପାଇଁ ଚିନ୍ତା କରିବି: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣି ଏକାଠି ହେବାନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ମଧ୍ୟରେ ବିଗତ କିଛି ଦିନର ଆରୋପ ପ୍ରତ୍ୟାରୋପ ପରେ ଏବେ ଏହି ଦୁଇ ନେତା ଗୋଟିଏ ବନ୍ଦ କୋଠରୀରେ ବୈଠକ କରିଛନ୍ତି। ଏହାପରେ ରାଜନୈତିକ ମହଲରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନୀତିଶଙ୍କ ସହ ପ୍ରଶାନ୍ତ କିଶୋରଙ୍କର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭେଟ ପରେ ଏବେ ପ୍ରଶାନ୍ତ କିଶୋରଙ୍କ ସ୍ୱର ବଦଳି ଯାଇଛି । ଏହି ଭେଟକୁ ନେଇ ବହୁକଥା ଆକଳନ କରାଯାଉଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପ୍ରଶାନ୍ତ କିଶୋର । ସେ କହିଛନ୍ତି ଯେ, ଏହା ଏକ ସାମାଜିକ,ରାଜନୈତିକ ଓ ଶିଷ୍ଟାଚାରର ସାକ୍ଷାତକାର । ଅନ୍ୟପଟେ ଆଗାମୀ ଦିନରେ ନୀତିଶଙ୍କ ସହ କାମ କରିବେ କି ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଯଦି ନୀତିଶ ସରକାର ରାଜ୍ୟର ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ କାମ ଆରମ୍ଭ କରନ୍ତି ତେବେ ସେ ନୀତିଶ ଙ୍କ ସହ ମେଣ୍ଟ ପାଇଁ ଚିନ୍ତା କରିବେ ।

ନୀତିଶଙ୍କ ସହ ଭେଟ ପୂର୍ବରୁ ପ୍ରଶାନ୍ତ କିଶୋର ଏକ ଟ୍ୱିଟକରି ନୀତିଶଙ୍କୁ ଟାର୍ଗେଟ କରିଥିଲେ । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ, ଏହାକୁ ମିଶାଇ ୧୦ ବର୍ଷ ମଧ୍ୟରେ ନୀତିଶଙ୍କର ଏହା ଷଷ୍ଠ ମେଣ୍ଟ । ହେଲେ ଏବେ ଆଶା କରିପାରିବୁ କି ଏହି ସରକାର ବିହାରବାସୀଙ୍କ ପାଇଁ କିଛି ଭଲ କାମ କରିବେ ? ତେବେ ଦୁଇ ନେତାଙ୍କ ଏଭଳି ରୁଦ୍ଧଦ୍ଵାର ବୈଠକ ପରେ ପ୍ରଶାନ୍ତ କିଶୋରଙ୍କ ସ୍ବର ବଦଳି ଯାଇଛି। ରାଜନୀତିରେ କେହି ଚିର ଶତ୍ରୁ ନୁହନ୍ତି। ଏହା ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି। ଏବେ ଯଦି ପ୍ରଶାନ୍ତ ଓ ନୀତିଶ ପୁଣି ଏକାଠି ହୁଅନ୍ତି ସେଥିରେ ଆଶ୍ଚର୍ୟ୍ଯ ହେବାର କିଛି ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

Related Posts