8 IAS ଅଧିକାରୀଙ୍କ ଅଦାଲତ ଅବମାନନା ମାମଲା: କ୍ଷମା ପ୍ରାର୍ଥନା ପରେ ଜେଲ୍ ଦଣ୍ଡାଦେଶରେ କୋହଳ, କିନ୍ତୁ ବର୍ଷେ କରିବାକୁ ପଡ଼ିବ ସମାଜସେବା

ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ଅଦାଲତ ଅବମାନନା କରିବା ମାମଲାରେ 8ଜଣ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ (IAS)ଙ୍କ ଉପରେ ଛାଟ । ପୂର୍ବରୁ ଅଦାଲତ 2 ସପ୍ତାହ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ, ଏବେ ଅଧିକାରୀମାନଙ୍କ କ୍ଷମା ପ୍ରାର୍ଥନା ପରେ ଦଣ୍ଡାଦେଶରେ କୋହଳ କରିଛନ୍ତି କୋର୍ଟ । ଦଣ୍ଡାଦେଶ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପରିବର୍ତ୍ତେ ସଂଶୋଧିତ ହୋଇଛି । ଜେଲ ଦଣ୍ଡାଦେଶ ପରିବର୍ତ୍ତେ ଏହି ଅଧିକାରୀମାନେ ସାମାଜିକ କଲ୍ୟାଣ ସଂଗଠନ ଦ୍ବାରା ପରିଚାଳିତ ହଷ୍ଟେଲଗୁଡିକରେ ପ୍ରତ୍ୟେକ ମାସରେ ଗୋଟିଏ ଦିନ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବା ନେଇ କୋର୍ଟ ସଂଶୋଧିତ ରାୟରେ ପ୍ରକାଶ କରିଛନ୍ତି ।

ଏହି ଅଧିକାରୀଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତରାଜ ପ୍ରମୁଖ ସଚିବ ଜେ.କେ ଦିଓ୍ବେଦୀ, ଏହି ବିଭାଗୀୟ କମିଶନର ଗିରିଜାଶଙ୍କର, ସ୍କୁଲ ଶିକ୍ଷା ସଚିବ ବି.ରଜାଶେଖର ଓ ଉକ୍ତ ବିଭାଗର କମିଶନର ଚିନ୍ନା ବିରାଭଦ୍ରୁଦୁ, ଉଚ୍ଚଶିକ୍ଷା ସଚିବ ଜେ.ଶ୍ୟାମଲା ରାଓ ଏହାର ପୂର୍ବତନ ନିର୍ଦ୍ଦଶେକ ବିଜୟ କୁମାର, ବର୍ତ୍ତମାନର ନିର୍ଦ୍ଦେଶକ ଏମ.ଏମ ନାୟକ, ମ୍ୟୁନିସପାଲ ପ୍ରଶାସନ ଓ ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ସଚିବ ଓ୍ବାଇ. ଶ୍ରୀଲକ୍ଷ୍ମୀ ରହିଛନ୍ତି ।ଏକ ମାମଲାରେ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଏହି ଅଧିକାରୀମାନେ ଭ୍ରୁକ୍ଷେପ ନକରିବା ନେଇ କ୍ଷୁବ୍ଧ ହୋଇଥିଲେ କୋର୍ଟ । ପରବର୍ତ୍ତୀ ସମୟରେ ଏମାନଙ୍କୁ ଅଭିଯୁକ୍ତ ଦର୍ଶାଇବା ସହ 2 ସପ୍ତାହ ଜେଲକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏପରି କଡା ଆଭିମୁଖ୍ୟ ପରେ ଅଧିକାରୀମାନେ ନ୍ୟାୟଳୟକୁ କ୍ଷମା ପ୍ରାର୍ଥନା କରିଥିଲେ। କ୍ଷମା ପରେ କୋର୍ଟ କୋହଳତା ସ୍ବରୂପ ସଂଶୋଧିତ ରାୟ ପ୍ରଦାନ କରିଛନ୍ତି । ସଂଶୋଧିତ ରାୟ ଅନୁସାରେ ଅଧିକାରୀମାନେ ମାସରେ ଗୋଟିଏ ଦିନ ସାମାଜିକ ମଙ୍ଗଳ କମିଟି ଦ୍ବାରା ପରିଚାଳିତ ହଷ୍ଟେଲରେ ପ୍ରତ୍ୟେକ୍ଷ ସେବା ଯୋଗାଇବେ । ଗୋଟିଏ ଦିନର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ମଧ୍ୟ ଉଠାଇବା ନେଇ କୋର୍ଟ କହିଥିଲେ ।

ସରକାରୀ ବିଦ୍ୟାଳୟ ପରିଚାଳନା କମିଟିରୁ ଗ୍ରାମ ତଥା ୱାର୍ଡ ସମ୍ପାଦକମାନଙ୍କୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରାୟ ଏକ ବର୍ଷ ବିତିଥିଲେ ସୁଦ୍ଧା ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟକାରୀ କରିନଥିବା ଦେଖିବାକୁ ମିଳିଥିଲା । ତେଣୁ ଏପରି ପ୍ରଶାସନିକ ଅବହେଳିତ ଆଚରଣକୁ ଅଦାଲତ ଅବମାନନା ବୋଲି ବିବେଚନା କରିବା ସହ ପୁଣି ଶୁଣାଣି ଆରମ୍ଭ କରିଥିଲେ କୋର୍ଟ ।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଜଷ୍ଟିସ ବଟ୍ଟୁ ଦେୱାନନ୍ଦଙ୍କ ଏକକ ଖଣ୍ଡପୀଠ ଏହି ଅବମାନନା ମାମଲାର ଶୁଣାଣି କରି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାୟୀ କରିବା ସହ ଜେଲଦଣ୍ଡାଦେଶ ଶୁଣାଇଥିଲେ ।

Related Posts