ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ୦.୩୯ ପ୍ରତିଶତ ପିଲା, ଅଫଲାଇନ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ କଲେ ୨୨୪୪ ରେଗୁଲାର ଛାତ୍ରଛାତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳକୁ ନେଇ ବିବାଦ ଦେଖାଦେଇଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇ ଥିଲେ। ସ୍କୁଲ ପକ୍ଷରୁ ଦିଆଯାଇଥିବା ମାର୍କକୁ ବୋର୍ଡ ହ୍ରାସ କରିଦେଇଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ। ଏହା ପରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଯେଉଁମାନେ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପୁଣିଥରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ ରେଗୁଲାରରେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ସେଥିମଧ୍ୟରୁ ୨୨୪୪ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିବା ଜଣାପଡିଛି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୦.୩୯% ପିଲା ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି । ତେବେ ଉଲ୍ଲେଖନୀୟ କଥା ହେଉଛି ଭୁବନେଶ୍ବର ଓ ପୁରୀର ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ୍‌ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ହେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିଛି।

ଅନ୍ୟ ପକ୍ଷରେ ଏକ୍ସ-ରେଗୁଲାରର ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆଗ୍ରହୀ ଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ତଥ୍ୟ ଅନୁଯାୟୀ ଦଶମ ପରୀକ୍ଷା ସମେତ ଏସ୍‌ଓଏସ୍‌ସି ଓ ମଧ୍ୟମା ପରୀକ୍ଷା ଲାଗି ମୋଟ ଉପରେ ୧୫ ହଜାର ୧୫୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ପାଇଁ ୬୫୯୬ ଜଣ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ମାର୍କ ବୃଦ୍ଧି କରିବାକୁ ୨୨୪୪ ଜଣ ଫର୍ମ ପୂରଣ କରିଛନ୍ତି। ସେହିପରି ପରୀକ୍ଷା ଦେବାରୁ ବଞ୍ଚିତ ଥିବା ୧୯୬ ଜଣ ନୂଆ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଛନ୍ତି। ଏକ୍ସ-ରେଗୁଲାରର ୧୮୭୨, କରେସ୍‌ପଣ୍ଡେନ୍ସ (ରେଗୁଲାର) ପାଠ୍ୟକ୍ରମରେ ୨୨୫୫ ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମ(ଏକ୍ସ-ରେଗୁଲାର)ରେ ୨୯ ଜଣ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ୍ଅପ୍  କରିଛନ୍ତି।

ଏସ୍‌ଓଏସ୍‌ସିର ପରୀକ୍ଷା ପାଇଁ ୮ ହଜାର ୪୯୩ ଜଣ ଫର୍ମ ଫିଲ୍ଅପ୍ କରିଛନ୍ତି। ସେଥି ମଧ୍ୟରୁ ନୂଆ କରି ୭ ହଜାର ୧୬୦ ଜଣ ଥିବା ବେଳେ ବ୍ୟାକ୍‌ ପରୀକ୍ଷା ଦେବା ପାଇଁ ୧୩୩୩ ଜଣ ରହିଛନ୍ତି। ମଧ୍ୟମା ପରୀକ୍ଷା ଲାଗି ମୋଟ ୬୬ ଜଣ ଫର୍ମ ପୂରଣ କରିଥିବା ବେଳେ ରେଗୁଲାରାରେ ୫୪ ଓ ଏକ୍ସ ରେଗୁଲାରରେ ୧୨ ଜଣ ଅଛନ୍ତି। ବୋର୍ଡ଼ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। 

   ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି। ଏ୧ ଗ୍ରେଡରେ ୨୬୫୬ ପାସ କରିଛନ୍ତି, ଏ୨ ଗ୍ରେଡରେ ୨୨ହଜାର ୧୩୧ ଜଣ, ବି୧ ଗ୍ରେଡରେ ୫୨ହଜାର ୧୯୯ ଏବଂ ବି୨ ଗ୍ରେଡରେ ପାସ୍ କରିଛନ୍ତି ୯୪ହଜାର ୪୭୫ ଛାତ୍ର ଛାତ୍ରୀ ପାସ୍ କରିଛନ୍ତି। ସି ଗ୍ରେଡରେ ୧୩୭୧୪, ଡି ଗ୍ରେଡରେ ୧୫୧୬୩୯, ଇ ଗ୍ରେଡରେ ୧୧୭୯୬ ଓ ଏଫ୍ ଗ୍ରେଡରେ ୭୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Related Posts