‘ଯଦି ମୁଁ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ତେବେ ମୋତେ ଗିରଫ କର’; ବିଜେପିକୁ ଚ୍ୟାଲେଞ୍ଜ ଦେଲେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯଦି ମୁଁ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ତେବେ ମୋତେ ଗିରଫ କର। ଗୁଜରାଟ ବିଧାନସଭା ଓ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍) ଅରବିନ୍ଦ କେଜ୍ରିୱାଲ ଆଜି ଏଭଳି ଟୁଇଟ୍‌ କରି ବିଜେପିକୁ ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି। ଏହା ସହ ବିଜେପି ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା କେଜ୍ରିୱାଲ ଟ୍ବିଟ ଜରିଆରେ ଦାବି କରିଛନ୍ତି।

ସେ ଟ୍ୱିଟ କରି ଲେଖିଛନ୍ତି ଯେ, ପ୍ରଥମେ ପଞ୍ଜାବ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେଜ୍ରିୱାଲ ଜଣେ ଆତଙ୍କବାଦୀ। ଏହା ଶୁଣି ଗୃହମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ। ହେଲେ ପରେ ହେଲା କ’ଣ? ବର୍ତ୍ତମାନ ଗୁଜୁରାଟ ବିଧାନସଭା/ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପୂର୍ବରୁ ସେ କହୁଛନ୍ତି ଯେ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ। ଯଦି କେଜ୍ରିୱାଲ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ, ତେବେ ତାକୁ ଗିରଫ କର। କେଜ୍ରିୱାଲ ନା ଆତଙ୍କବାଦୀ ନା ଦୁର୍ନୀତିଗ୍ରସ୍ତ। କେଜ୍ରିୱାଲ ଲୋକଙ୍କର ପ୍ରିୟ ଅଟେ। ଏହା ଜାଣିବା ପ‌ରେ ବିଜେପିକୁ କଷ୍ଟ ହେଉଛି।

‌ତେବେ ଡିସେମ୍ବରରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ୍ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ନିଜକୁ ବିଜେପିର ବଡ଼ ପ୍ରତିଦ୍ବନ୍ଦ୍ବୀ ବୋଲି କହିଛି। ଏମିତି କି ଏଥର ଗୁଜରାଟରେ ଆପ୍ କ୍ଷମତାକୁ ଆସିବ ବୋଲି ମଧ୍ୟ କେଜ୍ରିୱାଲ ଘୋଷଣା କରିସାରିଛନ୍ତି। ସେପଟେ ଦୀର୍ଘଦିନ ପରେ ଦିଲ୍ଲୀ ନଗର ନିଗମ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ସେଥିରେ ମଧ୍ୟ ଉଭୟ ବିଜେପି ଓ ଆପ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ ଦୁଇ ଦଳ ଓ ଏହାର ନେତା ମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି।

Related Posts