
ଲକ୍ଷ୍ନୌ: ଲାଉଡ୍ ସ୍ପିକରକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସରଗରମ ଥିବା ବେଳେ, ଏହାରି ମଧ୍ୟରେ ଗୃହ ବିଭାଗ ଏକ ବଡ ନିଷ୍ପତି ନେଇଛି | ରାଜ୍ୟବ୍ୟାପୀ ଧାର୍ମିକସ୍ଥଳରୁ ବେଆଇନ ଲାଉଡ୍ ସ୍ପିକର ହଟାଇବା ନେଇ ନିର୍ଦେଶ ଜାରି କରିଛି | ବିଭାଗ ଏହା ମଧ୍ୟ କହିଛି ଯେ, ଶବ୍ଦ ସୀମା ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍ ସ୍ପିକରଗୁଡିକୁ ହଟାଇ ଦିଆଯିବ ।
ଏଭଳି ସମସ୍ତ ସ୍ଥାନର ତାଲିକା ପ୍ରସ୍ତୁତ କରି ୩୦ ଅପ୍ରେଲ ସୁଦ୍ଧା ଗୃହ ବିଭାଗକୁ ରିପୋର୍ଟ ଦେବାକୁ ସମସ୍ତ ପୋଲିସ ଷ୍ଟେସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ଡିଭିଜନାଲ କମିଶନର ରିପୋର୍ଟ ପଠାଇବେ । ସମସ୍ତ ବେଆଇନ ଲାଉଡ୍ ସ୍ପିକରଗୁଡିକୁ ଧର୍ମଗୁରୁମାନଙ୍କ ସହ ଆଲୋଚନା ପରେ ହଟାଇ ଦିଆଯିବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଧାର୍ମିକସ୍ଥଳରେ ଅନୁମତି ସହ ଲାଉଡ୍ ସ୍ପିକର ବ୍ୟବହାର କରାଯାଇ ପାରିବ । କିନ୍ତୁ ଶବ୍ଦ ପରିସର ବାହାରକୁ ନ ଆସିବା ଉଚିତ୍। ୫ ଦିନ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଲାଉଡ୍ ସ୍ପିକର ପାଇଁ କୌଣସି ନୂଆ ପରମିଟ୍ ଜାରି କରାଯିବନାହିଁ ।
ଏହା ପୂର୍ବରୁ ପ୍ରୟାଗରାଜ ଆଇଜିପି ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାତି ୧୦ଟାରୁ ୬ଟା ମଧ୍ୟରେ ଲାଉଡ୍ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ ।
ତେବେ ଗତ କିଛି ଦିନ ହେବ ଉତ୍ତରପ୍ରଦେଶ ରେ ଲାଉଡ୍ ସ୍ପିକରକୁ ନେଇ ରାଜନୀତି ବେଶ ସରଗରମ ରହି ଆସୁଛି |