ଲାଉଡସ୍ପିକର ନଥିବାବେଳେ କଣ ଭଗବାନ ନଥିଲେ; କୌଣସି ଭଗବାନକୁ ପୂଜା କରିବା ପାଇଁ ଲାଉଡସ୍ପିକର ଜରୁରୀ ନୁହେଁ: ତେଜସ୍ୱୀ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ଲାଉଡସ୍ପିକରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏନେଇ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ଆରଜେଡି ନେତା ତେଜସ୍ୱୀ ଯାଦବ ଏନେଇ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ତେବେ ଯେଉଁମାନେ ଲାଉଡସ୍ପିକରକୁ ନେଇ ବିବାଦ ଆରମ୍ଭ କରିଛନ୍ତି ମୁଁ ସେମାନଙ୍କୁ ପଚାରୁଛି ଯେ ୧୯୨୫ ମସିହାରେ ଲାଉଡସ୍ପିକର ଆବିଷ୍କୃତ ହୋଇଥିଲା ଏବଂ ଭାରତରେ ଥିବା ଧର୍ମାନୁଷ୍ଠାନରେ ଏହାର ବ୍ୟବହାର ପ୍ରାୟ ୭୦ ଦଶକରୁ ଆରମ୍ଭ ହୋଇଥିଲା। ଯେତେବେଳେ କୌଣସି ଲାଉଡସ୍ପିକର ନଥିଲା ସେତେବେଳେ ଧର୍ମାନୁଷ୍ଠାନରେ କ’ଣ ଭଗବାନ ନଥିଲେ? ଲାଉଡସ୍ପିକର ବିନା ସେତେବେଳେ କ’ଣ ଠାକୁରଙ୍କୁ ପୂଜା କରଯାଉନଥିଲା? ବୋଲି ତେଜସ୍ୱୀ ଯାଦବ ପ୍ରଶ୍ନ କରିଛନ୍ତି ।

ଏହା ସହ କୌଣସି ଭଗବାନଙ୍କୁ ପୂଜା କରିବା ପାଇଁ ଲାଉଡସ୍ପିକର ଜରୁରୀ ନୁହେଁ। ପ୍ରକୃତରେ ଯେଉଁମାନେ ଧର୍ମ ଏବଂ କର୍ମର ମୂଳ କଥା ବୁଝନ୍ତି ନାହିଁ, ସେମାନେ ଅନାବଶ୍ୟକ ପ୍ରସଙ୍ଗରେ ଧାର୍ମିକ ରଙ୍ଗ ଦିଅନ୍ତି। ଜଣେ ଆତ୍ମ ସଚେତନ ବ୍ୟକ୍ତି କେବେ ବି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବ ନାହିଁ। ଭଗବାନ ସର୍ବଦା ଆମ ସହିତ ଅଛନ୍ତି। ତାଙ୍କୁ ପୂଜା କରିବା ପାଇଁ ଲାଉଡସ୍ପକରର ଆବଶ୍ୟକତା ନାହିଁ ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts