
ଚଣ୍ଡିଗଡ : ପଞ୍ଜାମ ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ ପରେ ମଧ୍ୟ ରାଜ୍ୟ କଂଗ୍ରେସ ରେ ଲାଗି ରହିଛି ଅନ୍ତ କନ୍ଦଳ | ଏକା ହୋଇପଡିଛନ୍ତି ନବଜୋତ ସିଂହ ସିଦ୍ଧୁ | ସୋମବାର ରାଜପୁରାରେ ବିଜୁଳି କାଟ୍ ସମେତ ଅନେକ ପ୍ରସଙ୍ଗକୁ ନେଇ ଧାରଣା ଦେଇଥିଲେ ନବଜୋତ ସିଂହ ସିଦ୍ଧୁ । ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ନବଜୋତ ସିଂହ ସିଦ୍ଧୁ | କିନ୍ତୁ ଧାରଣାରେ ସେ ଏକା ଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ନେତାଙ୍କ ଏହି ଧାରଣାରେ ଦଳର ଅଧିକାଂଶ ନେତା ପହଞ୍ଚିନଥିଲେ । ବିଧାୟକ ଏବଂ ନୂଆ ରାଜ୍ୟ ସଭାପତି ଅମରିନ୍ଦର ରାଜା ୱାରିଙ୍ଗ୍ଙ୍କ ଟିମ୍ର କୌଣସି ନେତାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା । ଏହି ନେତାମାନଙ୍କ କହିବା ଅନୁସାରେ ନବଜୋତ ସିଂହ ସିଦ୍ଧୁ ଯେଉଁ ଧାରଣାର ଆୟୋଜନ କରିଥିଲେ ତାହା ପାର୍ଟି ନିର୍ଦ୍ଦେଶରେ ହୋଇନଥିଲା । ଏମିତିରେ ସେମାନେ ସେଠାକୁ ଯିବା ଉଚିତ୍ ଭାବିନଥିଲେ । ଏହିପରି ବିରୋଧୀ ଦଳକୁ ଆସିବା ପରେ ମଧ୍ୟ କଂଗ୍ରେସ ଭାଗ ଭାଗ ହୋଇଛି ।
ନବଜୋତ ସିଂହ ସିଦ୍ଧୁଙ୍କ ଘନିଷ୍ଠ ରାଜପୁରାର ପୂର୍ବତନ ବିଧାୟକ ହରଦୟାଲ କମ୍ବୋଜ ଏହି ଧାରଣା ଆୟୋଜନ କରିଥିଲେ । ଏହି ଧାରଣାକୁ ନବଜୋତ ସିଂହ ସିଦ୍ଧୁ ସମ୍ବୋଧିତ କରିଥିଲେ ଏବଂ ବହୁ ସମୟ ଧରି ସେଠାରେ ବସି ରହିଥିଲେ । ତାଙ୍କ ବ୍ୟତୀତ କିଛି କଂଗ୍ରେସ କର୍ମୀ ସେଠାରେ ଉପସ୍ଥିତ ଥିଲେ । ଅନେକ ବରିଷ୍ଠ ନେତା ଧାରଣାରୁ ଦୂରେଇ ରହିଥିଲେ । କାରଣ ସେମାନଙ୍କ ଉପରେ ପାର୍ଟି ଲାଇନ୍ରୁ ଅଲଗା ଯିବାର ଅଭିଯୋଗ ନଆସୁ । ଏମିତିକି ରାଜପୁରାର ନେତାମାନେ ମଧ୍ୟ ଧାରଣାରୁ ଦୂରେଇ ରହିଥିଲେ ।
ନବଜୋତ ସିଂହ ସିଦ୍ଧୁଙ୍କ ପକ୍ଷରୁ ଧାରଣା ଆୟୋଜନକୁ ନେଇ ପଚରାଯିବାରୁ ଅମରିନ୍ଦର ରାଜା ଓ୍ବାରିଙ୍ଗ କହିଥିଲେ ତାଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । କଂଗ୍ରେସର ପୂର୍ବତନ ବିଧାୟକ ତଥା ଦଳରୁ ବହିଷ୍କୃତ ହୋଇଥିବା ସୁରଜିତ ସିଂହ ଧିମାନ ଏଥିରେ ସାମିଲ ହୋଇଥିଲେ । ସେମାନଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଅଶ୍ବିନୀ ଶେଖରୀ, ନବତେଜ ସିଂହ ଚିମା, ନଜର ସିଂହ ମନସାହିୟା ଏବଂ ସୁଖବିନ୍ଦର ସିଂହ କାକା କାମ୍ବୋଜ ମଧ୍ୟ ଏହି ଧାରଣାରେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନରେ ପରାଜୟ ପରେ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ନବଜୋତ ସିଂହ ସିଦ୍ଧୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।